ବେଜିଂ: ଓ୍ଵାନ୍ ବେଲ୍ଟ ଓ୍ଵାନ୍ ରୋଡ (ଓବିଓଆର) ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ବ୍ୟବସାୟ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଥିବା ଚୀନକୁ ଏବେ ବଡ଼ ଝଟ୍କା ଲାଗିଛି। ଚୀନ୍-ପାକିସ୍ତାନ ଆର୍ଥିକ କରିଡର ପାଇଁ ଦୁଇ ଦେଶ ମଧ୍ୟରେ ଅତ୍ୟନ୍ତ ମଧୁର ସଂପର୍କ ରହିଥିଲେ ମଧ୍ୟ ଓବିଓଆର୍ ପ୍ରକଳ୍ପଗୁଡ଼ିକୁ ପାକିସ୍ତାନରେ ରଦ୍ଦ କରିବାକୁ ଚୀନ୍ ବାଧ୍ୟ ହୋଇଛି। ବଡ଼ ଧରଣର ରାଜନୈତିକ ବିରୋଧ ଏବଂ ଚୀନ୍ର ବିସ୍ତାରବାଦୀ ନୀତିକୁ ଭୟ କରି ପାକ୍ ସରକାର ପଛଘୁଂଚା ଦେଉଥିବାରୁ ଏଭଳି ସ୍ଥିତି ଉପୁଜିଛି। ସେହିଭଳି ହଙ୍ଗେରି ଏବଂ ତାଂଜାନିଆରେ ମଧ୍ୟ ପ୍ରବଳ ବିରୋଧ ଯୋଗୁଁ ଓବିଓଆର୍ ବାବଦ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସେଠାରେ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଚୀନ୍ ଅତି କମ୍ରେ ୧୪ ଶହ କୋଟି ଡଲାର କ୍ଷତି ସହିବାକୁ ବାଧ୍ୟ ହେବ ବୋଲି କୁହାଯାଉଛି । ଚୀନ୍ର ଏହି ବହୁ ଚର୍ଚ୍ଚିତ ଯୋଜନାରେ ଭାରତ ସାମିଲ ହୋଇନାହିଁ। ତେବେ ଏହି ପ୍ରକଳ୍ପରେ ସଂପୂର୍ଣ୍ଣ ସାମିଲ ହେବାପାଇଁ ନେପାଳକୁ ମନାଇବାରେ ଚୀନ୍ ସକ୍ଷମ ହୋଇଛି। ଓବିଓଆରକୁ ନେଇ ଚୀନ୍ର ସବୁ ସର୍ତ୍ତରେ ନେପାଳ ରାଜି ହୋଇଥିଲେ ମଧ୍ୟ ସ୍ଥାନୀୟ ଜନତାଙ୍କ ବିରୋଧ ଚୀନ୍ର ପ୍ରୟାସକୁ ଭଣ୍ଡୁର କରିବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଭାରତ ଓବିଓଆର୍କୁ ଜୋରଦାର ବିରୋଧ କରିବା ସହ ଏହାର ବିକଳ୍ପ ମାର୍ଗ ଖୋଜୁଥିବା ବେଳେ ପାକିସ୍ତାନ ଓ ନେପାଳ ଓବିଓଆର୍କୁ ସମର୍ଥନ କରି ଚୀନ୍ ପ୍ରତି ସେମାନଙ୍କ ଆନୁଗତ୍ୟ ଦେଖାଇଛନ୍ତି। ତେବେ ଉଭୟ ରାଷ୍ଟ୍ରର ଜନସାଧାରଣ ଚୀନ୍ର ଆଧିପତ୍ୟକୁ ବରଦାସ୍ତ କରିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ପାକିସ୍ତାନ ଡେମର ଭାସା ପ୍ରକଳ୍ପକୁ ଓବିଓଆର୍ରେ ସାମିଲ କରିବାରେ ଚୀନ୍ ବ୍ୟର୍ଥ ହୋଇଛି ଏବଂ ଏହାକୁ ତାଲିକାରୁ ହଟାଇ ଦେଇଛି।
ଚୀନ୍ର ୧୪ ଶହ କୋଟି ଡଲାର ବୁଡ଼ିବ
ପାକିସ୍ତାନ, ତାଂଜାନିଆ ଓ ହଙ୍ଗେରିରେ ପ୍ରକଳ୍ପ ରଦ୍ଦ
ନିକଟରେ ମାନିଲାରେ ଅନୁଷ୍ଠିତ ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ୍) ସମ୍ମିଳନୀ ଅବସରରେ ଚୀନ୍ର ବିସ୍ତାରବାଦୀ ଯୋଜନାର ମୁକାବିଲା ପାଇଁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ମିଳିତ କୂଟନୀତି ଆରମ୍ଭ କରିଥିଲେ। ଏବେ ଏହାକୁ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନ ମଧ୍ୟ ମିଳୁଛି। ଏହି ୪ ରାଷ୍ଟ୍ର ମଧ୍ୟରେ ପ୍ରଥମ ପ୍ରତିନିଧିସ୍ତରୀୟ ବୈଠକ ମାନିଲାରେ ଅନୁଷ୍ଠିତ ହେବାପରେ ଚୀନ୍ ହଡ଼ବଡ଼େଇ ଯାଇଛି ଏବଂ ଭାରତ ଉପରେ ଚାପ ସୃଷ୍ଟି ପାଇଁ ଅନ୍ୟ ରାଷ୍ଟ୍ରଙ୍କୁ ଅସ୍ତ୍ର କରିବାକୁ ଚାହୁଛି। ଓବିଓଆର ମୁକାବିଲା ପାଇଁ ଭାରତ-ଜାପାନ-ଆମେରିକା ମିଳିତ ଯୋଜନା ଆରମ୍ଭ କରିଦେଇଥିବାରୁ ଚୀନ୍ ଏବେ କେବଳ ଭାରତ ଉପରେ ଚାପ ସୃଷ୍ଟି ପାଇଁ ବାଟ ଖୋଜୁଛି। ପାକିସ୍ତାନକୁ ପ୍ରଧାନ୍ୟ ଦେଇ ଚୀନ୍ ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ପାକ୍-ଚୀନ୍ ଆର୍ଥିକ କରିଡର କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବା ଯୋଗୁଁ ଭାରତ ଏହାର କଡ଼ା ବିରୋଧ କରି ଆସୁଥିବାରୁ ଭାରତ ହିଁ ଓବିଓଆର କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ବୋଲି ଚୀନ୍ କୂଟନୀତିଜ୍ଞମାନେ ମତ ଦେଇଛନ୍ତି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଏକଚାଟିଆ ନୀତିକୁ ଭାରତ ବିରୋଧ କରିବା ପରେ ଚୀନ୍ ଉପରେ ମଧ୍ୟ ଅନ୍ତର୍ଜାତୀୟ ଚାପ ବଢ଼ିଛି।