ମହିଳା କମିସନଙ୍କ ନିକଟରେ ଲିଖିତ ଅଭିଯୋଗ କରିଲେ ଆପ୍ ପ୍ରାର୍ଥୀ ଅତିଶୀ,ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ କ୍ରିକେଟର ହରଭଜନ ସିଂହ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ଆପ୍ ପ୍ରାର୍ଥୀ ଅତିଶୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଲେଖାଥିବା ପୋଷ୍ଟର୍ ଲଗାଯିବା ଓ ସାଧାରଣରେ ବଣ୍ଟାଯିବା ଘଟଣା ଏବେ ପୁଣି ଏକ ନାଟକୀୟ ମୋଡ଼ ନେଇଛି। ଆଜି ଏ ନେଇ ଆପ୍ ପ୍ରାର୍ଥୀ ଅତିଶୀ ଦିଲ୍ଲୀ ମହିଳା କମିସନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ତେଣେ ଜଣାଶୁଣା କ୍ରିକେଟର ହରଭଜନ ସିଂହ ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଛନ୍ତି। ହରଭଜନ ନିର ଟୁଇଟରରେ ଲେଖିଛନ୍ତି ‘ ମୁଁ ଗତକାଲି ଗୌତମ ଗମ୍ଭୀରଙ୍କ ସଂପର୍କରେ ଗୋଟିଏ କଥା ଶୁଣି ସ୍ତବ୍ଧ ହୋଇଗଲି।ମୁଁ ତାଙ୍କୁ ଭଲଭାବେ ଜାଣେ । ସେ କେବେ ବି କୌଣସି ମହିଳାଙ୍କ ବରୁଦ୍ଧରେ ଖରାପ କଥା କହିପାରିବେ ନାହିଁ। ନିର୍ବାଚନରେ ସେ ଜିତିବେ କି ,ହାରିବେ ତାହା ଅଲଗା କଥା, କିନ୍ତୁ ଏହି ବ୍ୟକ୍ତି ସେସବୁର ଉର୍ଦ୍ଧ୍ବରେ।’

ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆପ୍ ପ୍ରାର୍ଥୀ ଅତିଶୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନହାନି ମକଦ୍ଦମା ଲାଗି ନୋଟିସ୍ ପଠାଇଛନ୍ତି। ଗୌତମ ଗମ୍ଭୀର ଅତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରି ଏହା ଆପ୍ର ଷଡ଼ଯନ୍ତ୍ର ରାଜନୀତିର ଏକ ଅଂଶବିଶେଷ ବୋଲି କହିଛନ୍ତି। ଆପ୍ ନେତାମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ବଦନାମ କରିବା ପାଇଁ ପୋଷ୍ଟର ଛାପି ବାଣ୍ଟିଛନ୍ତି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଆପ୍ ବର୍ତ୍ତିପାରିବ ନାହିଁ ବୋଲି ଗମ୍ଭୀର କହିଛନ୍ତି। ଯଦି ପୋଷ୍ଟର ମାମଲାରେ ତାଙ୍କର ସାମାନ୍ୟତମ ଭୂମିକା ଥିବା ଆପ୍ ପ୍ରମାଣ ଦେବ ତା’ହେଲେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବେ ବୋଲି ଗମ୍ଭୀର କହିଛନ୍ତି। ଯେ କୌଣସି ସଂସ୍ଥା ଦ୍ବାରା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ଆପ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର