ଅକ୍ଟୋବର ୨୧ରେ ମହାରାଷ୍ଟ୍ର, ହରିୟାଣା ନିର୍ବାଚନ, ୨୪ରେ ଫଳାଫଳ

୧୭ ରାଜ୍ୟର ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉଭୟ ରାଜ୍ୟରେ ୨୧ ଅକ୍ଟୋବରରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ ଏବଂ ୨୪ ଅକ୍ଟୋବରରେ ଭୋଟ୍‌ ଗଣତି ହେବ। ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଉଭୟ ରାଜ୍ୟରେ ୨୭ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି ହେବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୪ ଅକ୍ଟୋବର ରଖାଯାଇଛି ଏବଂ ପ୍ରତ୍ୟାହାର ତାରିଖ ୭ ଅକ୍ଟୋବର ରହିଛି। ଏହା ବ୍ୟତୀତ ୧୭ଟି ରାଜ୍ୟରେ ୬୪ଟି ବିଧାନସଭା ଆସନ ଏବଂ ବିହାରର ସମସ୍ତିପୁର ଲୋକସଭା ଆସନରେ ୨୧ ଅକ୍ଟୋବରରେ ହିଁ ଉପନିର୍ବାଚନ ହେବ। କର୍ଣ୍ଣାଟକର ୧୫ ଏବଂ ଉତ୍ତର ପ୍ରଦେଶର ୧୧ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା ଏବଂ ପୁଡ଼ୁଚେରିରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେବ। ଆସାମର ୪, ବିହାରର ୫, ଗୁଜରାଟର ୪, ହିମାଚଳ ପ୍ରଦେଶର ୨, କେରଳର ୫, ପଂଜାବର ୪, ରାଜସ୍ଥାନର ୨, ତାମିଲନାଡ଼ୁର ୨ ଏବଂ ସିକିମ୍‌ର ୩ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ହରିୟାଣା ବିଧାନସଭାର କାର୍ଯ୍ୟକାଳ ୩ ନଭେମ୍ବରରେ ଶେଷ ହେବାଉଥିବା ବେଳେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୯ ନଭେମ୍ବରରେ ଶେଷ ହେଉଛି। ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ର ଏବଂ ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଆଜି ନିର୍ବାଚନ ତାରିଖ ଘୋଷଣା ସହିତ ଉଭୟ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ମହାରାଷ୍ଟ୍ରରେ ୮.୯ କୋଟି ଭୋଟର୍‌ ଏବଂ ହରିୟାଣାରେ ୧ କୋଟି ୨୮ ଲକ୍ଷ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ଯେ ପ୍ରାର୍ଥୀମାନେ ଅପରାଧିକ ରେକର୍ଡ ସଂପର୍କରେ ତଥ୍ୟ ନଦେଲେ ସେମାନଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବ। ନିର୍ବାଚନ କମିସନ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି।

ନିର୍ବାଚନ ସାମଗ୍ରୀ‌ରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାର ହେବନାହିଁ
ନୂଆଦିଲ୍ଲୀ: ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜନ ଅଭିଯାନ ଦେଶରେ ଆରମ୍ଭ ହୋଇଥିବାରୁ ଆଜି ନିର୍ବାଚନ କମିସନ୍‌ ମଧ୍ୟ ନିର୍ବାଚନୀ ସାମଗ୍ରୀରେ ପଲିଥିନ୍‌ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାପାଇଁ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି। ମହାରାଷ୍ଟ୍ର ଏବଂ ହରିୟାଣାରେ ସମସ୍ତ ରାଜନୈତିକ, ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କୁ କମିସନ୍‌ କହିଛନ୍ତି ଯେ ପରିବେଶ ପ୍ରତି କ୍ଷତିକାରକ ହେବାଭଳି କୌଣସି ସାମଗ୍ରୀ ତଥା ପଲିଥିନ୍‌ ଏବଂ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ ରଖାଯିବା ଉଚିତ। ମୁଖ୍ୟ ନିର୍ବାଚନ କମିସନର ସୁନିଲ୍‌ ଆରୋରା ଆଜି ଏକ ସା‌ମ୍ବାଦିକ ସମ୍ମିଳନୀ କରି ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା‌ କରିବାପରେ କହିଛନ୍ତି, ନିର୍ବାଚନୀ ପ୍ରଚାର ପାଇଁ ରାଜ‌ନୈତିକ ଦଳଗୁଡ଼ିକୁ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବାପାଇଁ କୁହାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆରୋରା କହିଛନ୍ତି।

ସମ୍ବନ୍ଧିତ ଖବର