ଅକ୍ଟୋବର-ନଭେମ୍ବର ଅତି ଗୁରୁତ୍ବପୂର୍ଣ୍ଣ: କେରଳ ସଂକ୍ରମଣ କମୁଛି

ମିଜୋରାମ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ: କେନ୍ଦ୍ର

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର- ନଭେମ୍ବର ମାସ ଅତି ଗୁରୁତ୍ବପୂର୍ଣ୍ଣ। ଏହି ୨ଟି ମାସରେ ସଂକ୍ରମଣ ବିପଦ ଅଧିକ ରହିବ ବୋଲି ନିତି ଆୟୋଗ ସଦସ୍ୟ ଏବଂ ଜାତୀୟ କୋଭିଡ୍‌ ଟାସ୍କ ଫୋର୍ସ‌୍ ମୁଖ୍ୟ ଡାକ୍ତର ଭି କେ ପଲ୍‌ କହିଛନ୍ତି। ବିଭିନ୍ନ ଆକଳନରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି। ଦେଶରେ କୋଭିଡ୍‌ ସ୍ଥିତି ସଂକ୍ରାନ୍ତରେ ଏକ ବିବୃତି ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, କେରଳରେ ସଂକ୍ରମଣ କମୁଛି। କିନ୍ତୁ ‌କେରଳରେ ଏବେ ବି ଦେଶର ୬୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ଗତ ସପ୍ତାହରେ ଦେଶରେ ମୋଟ୍‌ ୬୭.୭୯ ପ୍ରତିଶତ ମାମଲା କେରଳରୁ ଚିହ୍ନଟ ହୋଇଥିଲା। କେରଳରେ ୧.୯୯ ଲକ୍ଷ ସକ୍ରିୟ ମାମଲା ରହିଛି। ଅନ୍ୟ ୫ ଟି ରାଜ୍ୟ ମିଜୋରାମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ଆସନ୍ତା ପାର୍ବଣ ଋତୁ ପାଇଁ ସରକାର ସଚେତନ କରିଛନ୍ତି। ଗହଳିରୁ ଦୂରେଇ ରହିବା ପାଇଁ ସର୍ବାଧିକ ସତର୍କ ରହିବାକୁ ସରକାର କହିଛନ୍ତି।

ମିଜୋରାମ ସ୍ଥିତି ଚିନ୍ତାଜନକ ବୋଲି ଡାକ୍ତର ପଲ୍‌ କହିଛନ୍ତି। ତେବେ ଦ୍ରୁତ ଟିକାକରଣ ଏବଂ କୋଭିଡ୍‌ ନିୟମାବଳି ପାଳନ ଦ୍ବାରା ମିଜୋରାମ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗୁରୁବାର ଦେଶରେ ୩୦,୫୭୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୩,୪୭,୩୨୫। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୩, ୪୯,୯୨୩ ରହିଛି । ୪୩୧ ଦୈନିକ କୋଭିଡ୍‌ ମୃତ୍ୟୁ ସହ ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୪୩,୯୨୮ ପହଞ୍ଚିଛି।

ସମ୍ବନ୍ଧିତ ଖବର