ନୂଆଦିଲ୍ଲୀ: ଦୀପାବଳିର ପରଦିନ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ ଏବଂ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଚଳିତ ସପ୍ତାହ ପାଇଁ ସ୍କୁଲ ବନ୍ଦକୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି କହିଛନ୍ତି। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ରାଜଧାନୀର ସମସ୍ତ ଶ୍ରେଣୀ ବନ୍ଦ ରହିବ। ବର୍ତ୍ତମାନ ବାୟୁର ଗୁଣବତ୍ତା କ୍ରମଶଃ ଖରାପ ହେଉଥିବାରୁ କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଛି।

Advertisment

ଦିଲ୍ଲୀରେ ପ୍ରାୟ ଏକ ସପ୍ତାହ ହେବ ବିଷାକ୍ତ ଧୂଆଁ ଲାଗି ରହିଥିବାରୁ କର୍ତ୍ତୃପକ୍ଷ ଡିଜେଲ ଟ୍ରକ୍‌ ପ୍ରବେଶ ବନ୍ଦ କରିବା ସହ ଗ୍ରେଡେଡ୍‌ ରେସପନ୍‌ସ ଆକ୍ସନ ପ୍ଲାନ୍‌ (ଜିଆରଏପି)ର ଷ୍ଟେଜ୍‌-୪ ଅଧୀନରେ ସହରରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଯାନ ଉପରେ କଟକଣା ଜାରି ରହିବ ବୋଲି ଶ୍ରୀ ରାୟ କହିଛନ୍ତି। ବାଣଫୁଟା ନିଷେଧ ଓ ସ୍ମୋଗ୍‌ ଗନ୍‌ ଲଗାଇବା ସମେତ ତାଙ୍କ ସରକାର ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।

ବିଗତ କିଛି ବର୍ଷ ଧରି ପ୍ରଦୂଷଣ ମୁକାବିଲା ପାଇଁ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ପ୍ରମୁଖ ପଦକ୍ଷେପ ପାଲଟିଥିବା ଯୁଗ୍ମ-ଅଯୁଗ୍ମ ନିୟମ ଏବେ ଦୀପାବଳି ପରଦିନ ଅର୍ଥାତ୍‌ ନଭେମ୍ବର ୧୩ରୁଏକ ସପ୍ତାହ ପାଇଁ ଫେରିବ। ଏହି ନିୟମ ଅନୁଯାୟୀ, କେବଳ ଅଯୁଗ୍ମ ଅଙ୍କ ବିଶିଷ୍ଟ ପଞ୍ଜୀକରଣ  ଥିବା ଗାଡ଼ିଗୁଡ଼ିକୁ ଦିଲ୍ଲୀ ରାସ୍ତାରେ ଅଯୁଗ୍ମ ଦିନରେ ଚାଲିବା ବେଳେ ଯୁଗ୍ମ ଅଙ୍କ ବିଶିଷ୍ଟ ପଞ୍ଜୀକରଣ ଥିବା ଗାଡ଼ିଗୁଡ଼ିକୁ ଯୁଗ୍ମ  ଦିନରେ ଚଳାଚଳ ଅନୁମତି ମିଳିବ। ନଭେମ୍ବର ୨୦ ପରେ ଯୁଗ୍ମ-ଅଯୁଗ୍ମ ନିୟମକୁ ବଢ଼ାଇବାର ଆବଶ୍ୟକତା ଉପରେ ପରବର୍ତ୍ତୀ ସମୟରେ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ସକାଳେ ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୮୮ ରେକର୍ଡ କରାଯାଇଛି, ଯାହା କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସର୍ବୋଚ୍ଚସ୍ତରଠାରୁ ଯଥେଷ୍ଟ ଅଧିକ। ଏକ୍ୟୁଆଇ ୫୦୦ ପାଖାପାଖି ଥିବାରୁ ଦିଲ୍ଲୀ ଓ ଆଖପାଖ ସହରରେ ଲୋକମାନେ ଯେଉଁ ବାୟୁରେ ନିଶ୍ୱାସ ନେଉଛନ୍ତି ତାହାର ଗୁଣବତ୍ତା ଦିନକୁ ୨୫-୩୦ ସିଗାରେଟ୍‌ ପିଇବା ସହ ସମାନ।