ନୂଆଦିଲ୍ଲୀ : ନୋଏଡ଼ାରେ ଜଣେ ଓଡ଼ିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ନୋଏଡ଼ାର ସେକ୍ଟର-୪୯ସ୍ଥିତ ହନୁମାନ ମୂର୍ତ୍ତି ପାଖରେ ଥିବା ଓୟୋ ଟାଉନସିପ୍ ହୋଟେଲର ୬ ମହଲାରୁ ଖସିପଡ଼ି ସେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ନୋଏଡ଼ା ପୁଲିସ୍ର ସୂଚନା ଅନୁଯାୟୀ, ମୃତ ଯୁବତୀ ହେଉଛନ୍ତି ପଦ୍ମିନୀ ପାଢ଼ୀ। ସେ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ଶ୍ରୀଧର ନଗର-୧ ର ବାସିନ୍ଦା। ସେ ଭୁବନେଶ୍ବରରେ ଗୋଟିଏ ଆଇଟି କମ୍ପାନିରେ କନ୍ସଲ୍ଟାଣ୍ଟ ଇଞ୍ଜିନିୟର ରୂପେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବାବେଳେ ତାଙ୍କ ସହିତ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ସାହୁ ଥିଲେ। ତେବେ, ଘଟଣା ପରେ ପୂର୍ଣ୍ଣଚନ୍ଦ୍ର ଫେରାର୍ ହୋଇଯାଇଥିବା ନୋଏଡ଼ା ପୁଲିସ୍ କହିଛି।
ପୁଲିସ ଆହୁରି କହିଛି ଯେ, ଗତ ୧୦ ତାରିଖ ଦିନ ବନ୍ଧୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖା କରିବା ପାଇଁ ନୋଏଡାରେ ପହଞ୍ଚିଥିଲେ। ପଦ୍ମିନୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣି ନଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ନୋଏଡ଼ା ଫେଜ୍-୨ର ଏକ କମ୍ପାନିରେ ଡିଜାଇନର ରୂପେ କାର୍ଯ୍ୟ କରନ୍ତି। ନୋଏଡ଼ା ପହଞ୍ଚିବା ପରେ ସେକ୍ଟର-୪୯ର ଓୟୋ ଟାଉନସିପ୍ ହୋଟେଲର ୬ ମହଲାରେ ୨୦୪ ନମ୍ବର ରୁମ୍ରେ ପଦ୍ମିନୀ ରହିଥିଲେ। ସେହି ସମୟରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସେହି ରୁମ୍ରେ ଥିଲେ। ମଙ୍ଗଳବାର ମଧ୍ୟରାତ୍ରୀରେ ୬ ମହଲାରୁ ପଦ୍ମିନୀ ଖସିପଡ଼ିଥିଲେ। ଏହାପରେ ହୋଟେଲ କର୍ତ୍ତୃପକ୍ଷ ପୁଲିସ୍କୁ ସୂଚନା ଦେଇଥିଲେ। ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ନୋଇଡ଼ା ପୁଲିସ୍ କହିଛି।
ଅନ୍ୟପକ୍ଷରେ, ପଦ୍ମିନୀଙ୍କ ଖୋଜ୍୍ଖବର ନ ମିଳିବାରୁ ପରିବାର ଲୋକ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍ କରିଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ। ଏହାପରେ ପରିବାର ପକ୍ଷରୁ ଭୁବନେଶ୍ବରରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ତେବେ, ପୁଲିସ୍ ପାଖରୁ ସୂଚନା ପାଇ ଗତକାଲି ପଦ୍ମିନୀଙ୍କ ପରିବାର ଲୋକ ନୋଏଡ଼ାରେ ପହଞ୍ଚିଥିଲେ। ପରିବାର ଲୋକ ପଦ୍ମିନୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇ ଥିବା ପୂର୍ଣ୍ଣଚନ୍ଦ୍ର ସାହୁ ଓ ରୋହନ କୁମାରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ପଦ୍ମିନୀଙ୍କ ଶବ ଜବତ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପଦ୍ମିନୀଙ୍କ ବାପା ମା’ ଗତକାଲି ପଦ୍ମିନୀଙ୍କ ଶବକୁ ନେଇ ଓଡ଼ିଶା ଫେରିଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/811167-dead.jpg)