‘ଓଡ଼ିଆ ଅସ୍ମିତା’ ଓ ‘ବ୍ରାଣ୍ଡ ଓଡ଼ିଶା’କୁ ସାରା ବିଶ୍ବରେ ପହଞ୍ଚାଇବେ ପ୍ରବାସୀ ଓଡ଼ିଆ

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ମାନଙ୍କ ତରଫରୁ ନିଜର ମାତୃ ପ୍ରଦେଶର ହୃତ ଗୌରବ, ସୁପ୍ତ ସୌରଭ ଏବଂ ଲୁପ୍ତ ବୈଭବକୁ ଉଜ୍ଜୀବିତ କରି ସ୍ବର୍ଣ୍ଣାଭ ଓଡ଼ିଶାର ନବନିର୍ମାଣ କରିବା ପାଇଁ ବଜ୍ର ଶପଥ ଗ୍ରହଣ କରାଯାଇଛି | ଓଡିଶା ସୋସାଇଟି ଅଫ ଆମେରିକାଜ (ଓସା) ଏବଂ ୩୨ଟି ଦେଶର ଓଡିଶା ସମାଜ ତଥା ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନଙ୍କର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦୁନିଆ ବିଶ୍ୱ ଓଡ଼ିଆ ୱେବ ମହୋତ୍ସବ ଅବସରରେ ଏହି ପ୍ରତିବଦ୍ଧତାକୁ ସାଧାରଣରେ ପରିପ୍ରକାଶ କରାଯାଇଛି |ମହାସମ୍ମିଳନୀର ସମାପନ ସମାରୋହରେ ଭାଗ ନେଇଥିବା ତୁଙ୍ଗ ପ୍ରବାସୀ ଓଡ଼ିଆ ସଂପ୍ରଦାୟର ନେତ୍ରୁବୃନ୍ଦମାନେ ଓଡ଼ିଆ ଅସ୍ମିତା ଓ ବ୍ରାଣ୍ଡ ଓଡ଼ିଶାର ଉପସ୍ଥିତି, ପରିଚିତି ଏବଂ ପାରଦର୍ଶିତାକୁ ବିଶ୍ୱ ଦରବାରରେ ପ୍ରତିପାଦନ, ପ୍ରମାଣିତ ଓ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଭୀଷ୍ମ ପ୍ରତିଜ୍ଞାର ଉଦଘୋଷଣା କରିଥିଲେ |

ବିଶେଷକରି ୨୦୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରାଯିବା ପରିପେକ୍ଷୀରେ ଶ୍ରେଷ୍ଠ ଓଡିଶା ଗଠନର ସ୍ବପ୍ନକୁ ସାକାର କରିବା ପାଇଁ ଦୁରଦୃଷ୍ଟି ସଂପନ୍ନ ଯୋଜନାର ଖସଡ଼ା ଏବଂ ଭବିଷ୍ୟତ ମାର୍ଗର ମାନଚିତ୍ର ପ୍ରସ୍ତୁତି ପାଇଁ ସଂକଳ୍ପବଦ୍ଧ ଉଦ୍ୟମର ଅୟମ ଆରମ୍ଭ କରାଯିବା ନେଇ ଶୀର୍ଷ ସମାବେଶରେ ସର୍ବସମ୍ମତି ପ୍ରକାଶ ପାଇଥିଲା | ଭିଡ଼ିଓ କନଫରେନସିଂ ଜରିଆରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରବାସୀ ଓଡ଼ିଆ ସାଂସ୍କୃତିକ ମହାକୁମ୍ଭ ଐତିହାସିକ ଓ ଅଭୂତପୂର୍ବ ସଫଳତା ହାସଲ କରିଥିବା ଜଣାଯାଇଛି | ସାରା ପୃଥିବୀର ଓଡ଼ିଆ ଓ ଓଡ଼ିଶାବାସୀ ମାନଙ୍କ ମହଲରେ ଏହି ଅନନ୍ୟ ଆସରକୁ ନେଇ ଅପୂର୍ବ ଉତ୍ସୁକତା ଏବଂ ପ୍ରବଳ ଆନନ୍ଦ,ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ସୃଷ୍ଟି ହୋଇଥିବା ପରିଲ୍ଲଖିତ କରାଯାଇଛି | ସମଗ୍ର ଦୁନିଆର ଓଡ଼ିଆ ମାନଙ୍କୁ ଏହି ମହୋତ୍ସବ ଯେଭଳି ଏକ ମୈତ୍ରୀ, ପ୍ରୀତି, ଭାତୃତ୍ଵ, ଏବଂ ଏକତା ସୂତ୍ରରେ ବାନ୍ଧିବାର ନିଆରା ବାର୍ତ୍ତା ପ୍ରଦାନ କରିବାକୁ ସକ୍ଷମ ହୋଇଛି, ତାହା ଅଶ୍ରୁତପୁର୍ବ ଓ ଆଶ୍ଚର୍ଯ୍ୟଜନକ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି | ଉଦଯାପନୀ ଅଧିବେଶନରେ ସମ୍ମାନିତ ଅତିଥି,ଭାବରେ ଯୋଗଦେଇ ଓଡିଶା ସରକାରଙ୍କର ‘ମୋ କଲେଜ’ ସଂସ୍ଥାର ଅଧ୍ୟକ୍ଷ ଆକାଶ ଦାସନାୟକ ଏକଦା ଗଂଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବା ଆମର ବିଶାଳ ସାମ୍ରାଜ୍ୟର ପ୍ରଭୁତ୍ୱ ଓ ଭୂମିତଳେ ଓ ଭୁପୃଷ୍ଠରେ ଥିବା ସଂପଦର ପ୍ରାଚୁର୍ଯ୍ୟ ତଥା ଏକ ଜାତି ହିସାବରେ ଓଡ଼ିଆଙ୍କର ଶ୍ରେଷ୍ଠତ୍ଵ ସଦାସର୍ବଦା ଅବିସମ୍ବାଦିତ ବୋଲି ଉଲ୍ଲେଖ କରିଥିଲେ | ତେବେ ଆଜି ଆମର ଅସଲ ଶକ୍ତିକୁ ସ୍ମରଣ କରିବାର ସଠିକ ସମୟ ଆସିଛି ଓ ପ୍ରବାସୀ ଓଡ଼ିଆ ମହୋତ୍ସବ ଆମକୁ ଏଥିପାଇଁ ପ୍ରକୃଷ୍ଟ ମଞ୍ଚ ଯୋଗାଇଥିବା ଶ୍ରୀ ଦାସନାୟକ ସୁଚାଇଥିଲେ |

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଇଣ୍ଟରନେଟ ସମାବେଶକୁ ସମ୍ବୋଧନକରି ଓଲିଉଡ଼ ତାରକା ସବ୍ୟସାଚୀ ମିଶ୍ର, ବସୁଧୈବ କଟୁମ୍ବକମର ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆହ୍ବାନ ଜଣାଇଥିଲେ | ସମ୍ମିଳନୀରେ ଉଦବୋଧନ ଦେଇ ଓସାର ପୂର୍ବତନ ସଭାପତି ଡ଼ଃ ଶୀତିକଣ୍ଠ ଦାଶ, ଆମେରିକାରେ ପାରମ୍ପରିକ ପାଠ୍ୟକ୍ରମ ସହିତ ନୃତ୍ୟ,ସଂଗୀତ କଳା ଓ ସଂସ୍କୃତି ଆଦି କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନଙ୍କ ପାଇଁ ଫୁଲବ୍ରାଇଟ ଢାଞ୍ଚାରେ ଡ଼ଃ ଦାଶ ଫାଉଣ୍ଡେସନ ଓ ଓସା ସ୍କଲାରସିପ ପ୍ରାରମ୍ଭ କରିବାର ଘୋଷଣା କରିଥିଲେ | ଓସାର ସଭାପତି କୁକୁ ଦାସ ତାଙ୍କର ଉପସଂହାର ବ୍ୟକ୍ତବ୍ୟ ପ୍ରଦାନ କରି ଏହା ସମାପନ ନୁହଁ ବରଂ ପରବର୍ତ୍ତୀ ସୋପାନର ଆରମ୍ଭ ବୋଲି ଦର୍ଶାଇଥିଲେ |ମହୋତ୍ସବ ପାଇଁ ଦୁଇମାସର ଆୟୋଜନ ସମୟରେ ସାରା ପୃଥିବୀର ଯେଉଁ ଭାଇ ଭଉଣୀ ମାନେ ତାଙ୍କ ସହିତ ସାମିଲ ହୋଇଛନ୍ତି, ସେମାନଙ୍କ ସହିତ ଓଡିଶା ଓ ଓଡ଼ିଆଙ୍କର ଉତଥାନ ପାଇଁ ଆଗେବି ସେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ |

ଓସାର ଉପସଭାପତି ଅନୀଲ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନଙ୍କୁ ଏବଂ କୋଷାଧ୍ୟକ୍ଷ ଉତ୍କଳ ନାୟକ ପ୍ରୋତ୍ସାହକ ତଥା ବୈଷୟିକ ସହଯୋଗକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଭରଚୁଆଲ ସଭା ଆରମ୍ଭରେ ପ୍ରବାସୀ ଓଡ଼ିଆ କରୋନା ମୃତକ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା |

ସମ୍ବନ୍ଧିତ ଖବର