ଓଡ଼ିଆ ଆଇଏଏସ ଅଫିସରଙ୍କୁ ପଶ୍ଚିମବଙ୍ଗ ଥାନାରେ ନିର୍ଯାତନା

କୋଲକାତା : ବୀରଭୂମ୍‌ ଜିଲ୍ଲାର ରାମପୁରହାଟରେ ଏସଡିଓ ଥିବା ଯୁବ ଓଡ଼ିଆ ଆଇଏଏସ ଅଫିସର ସ୍ମୃତି ରଂଜନ ମହାନ୍ତିଙ୍କୁ ସ୍ଥାନୀୟ ଏସଡିପିଓ ରାମପୁରହାଟ ଥାନାରେ ଗତ ଶୁକ୍ରବାର ଅଟକ ରଖିବା ସହିତ ଦୁର୍ବ୍ୟବହାର କରିଛନ୍ତି।

ଶ୍ରୀ ମହାନ୍ତିଙ୍କ କହିବାନୁଯାୟୀ, ପୁଲିସର ଦୁର୍ନୀତି ଓ ଦାଦାବଟି ଆଦାୟ ନେଇ ଏକାଧିକ ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିଥିଲା। ରାମପୁରହାଟର କ୍ରସର ମାଲିକ ସଂଘ ପକ୍ଷରୁ ଏଭଳି ଏକ ଅଭିଯୋଗ ପାଇବା ପରେ ସେ ସ୍ଥାନୀୟ ଥାନାର ଆଇଆଇସିଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏହାପରେ ଆଇଆଇସିଙ୍କୁ ଭେଟିବା ପାଇଁ ସେ ସ୍ଥାନୀୟ ଡେପୁଟି କଲେକ୍ଟର ତଥା ଡେପୁଟି ମାଜିଷ୍ଟ୍ରେଟ୍‌ ଆର୍‌. କେ. ହାଲଦାରଙ୍କ ସହିତ ଥାନାକୁ ଯାଇଥିଲେ। ତେବେ ତାଙ୍କୁ ଥାନାରେ ଦୁର୍ବ୍ୟବହାର କରାଯିବା ସହିତ ଲାଞ୍ଛିତ କରାଯାଇଥିଲା। ଏହାର କିଛି ସମୟ ପରେ ଏସଡିପିଓ ଅଭିଶେକ ରାୟ ଥାନାରେ ପହଞ୍ଚି ତାଙ୍କ ସହିତ ବଡ଼ପାଟିରେ ଓ ଅଭଦ୍ର ଭାବରେ କଥା ହେବା ଆରମ୍ଭ କରିଦେଇଥିଲେ। ଶ୍ରୀ ମହାନ୍ତିଙ୍କ କ୍ଷମତାକୁ ନେଇ ଶ୍ରୀ ରାୟ ପ୍ରଶ୍ନ ଉଠାଇଥିଲେ। ଏପରିକି ଶ୍ରୀ ରାୟ ଓ ତାଙ୍କର ଅନ୍ୟ ସହକର୍ମୀମାନେ ଥାନା ଦ୍ବାର ବନ୍ଦ କରିଦେବା ସହିତ ସେମାନଙ୍କୁ ବାହାରକୁ ଯିବାକୁ ଦେଇ ନଥିଲେ। ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଥାନାରୁ ଛଡ଼ା ଯାଇଥିଲା। କିନ୍ତୁ ତାଙ୍କ ଫୋନକୁ ମଧ୍ୟ ପୁଲିସ ଜବତ କରି ନେଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଲୋକଙ୍କ ସ୍ବାର୍ଥ ପାଇଁ ତାଙ୍କୁ ଦାୟିତ୍ବ ନିର୍ବାହ କରିବାକୁ ଦିଆ ଯାଇନଥିଲା। ଏପରିକି ତାଙ୍କୁ ଥାନାରେ ହଇରାଣ କରାଯିବା ସହିତ ଆକ୍ରମଣ ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ପୁଲିସ ପକ୍ଷରୁ ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ଏଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କୁ ନ୍ୟାୟ ଦେବାକୁ ଶ୍ରୀ ମହାନ୍ତି ମୁଖ୍ୟ ଶାସନ ସଚିବ ମଳୟ ଦେ ଓ ଗୃହ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର