୨ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ନୂଆଦିଲ୍ଲୀ: ଦୁଇ ଜଣ ଓଡ଼ିଆଙ୍କୁ ଆଜି ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ସ୍ଥାନୀୟ କମାନି ଅଡିଟୋରିୟମ୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ଡ. ଚନ୍ଦ୍ରଶେଖର କମ୍ବର ଦୁଇ ଓଡ଼ିଆଙ୍କ ସମେତ ୨୪ ଜଣଙ୍କୁ ଅକାଦେମିି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଆ ଭାଷା ପାଇଁ ଖ୍ୟାତାନାମା ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତରୁଣକାନ୍ତି ମିଶ୍ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କରିଛନ୍ତି। କ୍ଷୁଦ୍ର ଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି, ସାନ୍ତାଳୀ ଭାଷା ଲାଗି କାଳିଚରଣ ହେମ୍ବ୍ରମଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ସାନ୍ତାଳୀ ଭାଷାରେ ରଚିତ କ୍ଷୁଦ୍ର ଗଳ୍ପ ‘ଶିଶିର ଜାଲି’ ପାଇଁ ତାଙ୍କୁ ମନୋନୟନ କରାଯାଇଥିଲା। ଉଭୟ ଲେଖକଙ୍କୁ ପୁରସ୍କାର ଆକାରରେ ଏକ ତାମ୍ରଫଳକ ସହ ୧ ଲକ୍ଷ ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି। ପ୍ରାରମ୍ଭରେ କେନ୍ଦ୍ର ସାହିତ୍ୟ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଖ୍ୟାତ କବି, ଲେଖକ ଏବଂ ନିର୍ଦ୍ଦେଶକ ଗୁଲଜାର ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଶେଷରେ, କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ପୁରସ୍କାର ବିତରଣ ସମାରୋହରେ ବହୁ ସଂଖ୍ୟାରେ ସାହିତ୍ୟିକ ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର