ପ୍ରଶ୍ନ ପଚାରିବାରେ ଭର୍ତ୍ତୃହରି ଆଗରେ, ସବା ପଛରେ ବିଶ୍ବେଶ୍ବର
ରାଜଶ୍ରୀ ମଲ୍ଲିକ ଗୋଟିଏ ପ୍ରଶ୍ନ ପଚାରିଛନ୍ତି
ଦୁଇଟି ଆଲୋଚନାରେ ଭାଗ ନେଇଛନ୍ତି ପ୍ରମିଳା

Advertisment

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ପ୍ରଥମ ବର୍ଷକରେ ଓଡ଼ିଶାର ସାଂସଦମାନେ ସର୍ବମୋଟ ୭୬୯ ଗୋଟି ପ୍ରଶ୍ନ ପଚାରିଥିବା ବେଳେ ୨୯୫ଟି ଆଲୋଚନାରେ ଭାଗ ନେଇଛନ୍ତି। ଏହି ତଥ୍ୟ ଲୋକସଭା ୱେବସାଇଟ୍‌ରୁ ଜଣାପଡ଼ିଛି। ବର୍ଷର ତିନି‌ଟି ଅଧିବେଶନରେ ସର୍ବାଧିକ ପ୍ରଶ୍ନ ପଚାରିବା ତଥା ଆଲୋଚନାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସବୁଠାରୁ ଆଗରେ ରହିଛନ୍ତି। ଶ୍ରୀ ମହତାବ ୧୦୫ଟି ପ୍ରଶ୍ନ ପଚାରିଛନ୍ତି ଏବଂ ୭୭ଟି ଆଲୋଚନାରେ ଭାଗ ନେଇଛନ୍ତି। ଏହା ସହିତ ଶ୍ରୀ ମହତାବଙ୍କ ଦ୍ବାରା ସର୍ବାଧିକ ୬ଟି ପ୍ରାଇଭେଟ୍‌ ମେମ୍ବର ବିଲ୍‌ ମଧ୍ୟ ଆଗତ କରାଯାଇଛି। ଅପରପକ୍ଷେ ବିଜେପି ସାଂସଦ ବିଶ୍ବେଶ୍ବର ଟୁଡୁ ବର୍ଷକ ମଧ୍ୟରେ କୌଣସି ପ୍ରଶ୍ନ ପଚାରି ନ ଥିବା ବେଳେ କେବଳ ଗୋଟିଏ ଆଲୋଚନାରେ ଭାଗ ନେଇଥିବାର ଲୋକସଭା ୱେବସାଇଟ୍‌ ତଥ୍ୟରୁ ଜଣାପଡ଼ିଛି। ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ ୧୦୪ଟି ପ୍ରଶ୍ନ ପଚାରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଆଲୋଚନାରେ ଭାଗ ନେବା ପ୍ରସଙ୍ଗରେ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବର୍ଷକରେ ଲୋକସଭାରେ ସପ୍ତଗିରି ଉଲ୍ଲାକା ୪୨ଟି ଆଲୋଚନାରେ ଭାଗ ନେଇଛନ୍ତି।

ଓଡ଼ିଶାର ମୋଟ ୨୧ ଜଣ ଲୋକସଭା ସାଂସଦ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ବାଦ୍‌ ଦେଇ ୧୯ ଜଣ ସାଂସଦ ପ୍ରଶ୍ନ ପଚାରିଥିବା ବେଳେ ବିଜେପିର ସାଂସଦ ବିଶ୍ବେଶ୍ବର ଟୁଡୁ ତିନିଟି ଅଧିବେଶନରେ କୌଣସି ପ୍ରଶ୍ନ ପଚାରି ନାହାନ୍ତି। ବିଜେଡି ଚନ୍ଦ୍ରଶେଖର ସାହୁ, ସାଂସଦ ପିନାକୀ ମିଶ୍ର ଓ କଂଗ୍ରେସର ସପ୍ତଗିରି ଉଲ୍ଲାକାଙ୍କୁ ବାଦ ଦେଇ ଅନ୍ୟ ୧୫ ଜଣ ସାଂସଦ ୫୦ରୁ କମ୍‌ ପ୍ରଶ୍ନ ପଚାରିଛନ୍ତି। ଚନ୍ଦ୍ରଶେଖର ସାହୁ ୯୨ଟି, ପିନାକୀ ମିଶ୍ର ୭୨ଟି ଓ ସପ୍ତଗିରି ଉଲ୍ଲାକା ୬୯ଟି ପ୍ରଶ୍ନ ପଚାରିଥିବା ବେଳେ ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପିର ଜୁଏଲ ଓରାମ ୪୯ଟି ଲେଖାଏଁ ପ୍ରଶ୍ନ ପଚାରିଥିବା ତଥ୍ୟରୁ ଜଣାପଡ଼ିଛି।

ଓଡ଼ିଶାର ୭ ଜଣ ମହିଳା ସାଂସଦଙ୍କ ମଧ୍ୟରୁ ବିଜେପିର ସଂଗୀତା ସିଂହଦେଓ ବର୍ଷକରେ ସର୍ବାଧିକ ୧୦୪ଟି ପ୍ରଶ୍ନ ପଚାରିଥିବା ବେଳେ ବିଜେଡିର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କେବଳ ଗୋଟିଏ ପ୍ରଶ୍ନ ପଚାରିଛନ୍ତି। ସେହିଭଳି ସାଂସଦ ସିଂହଦେଓ ସର୍ବାଧିକ ୧୦ଟି ଆଲୋଚନାରେ ଭାଗ ନେଇଥିବା ବେଳେ ବିଜେଡି ସାଂସଦ ପ୍ରମିଳା ବିଷୋଇ ୨ଟି ଆଲୋଚନାରେ ଭାଗ ନେଇଥିବା ତଥ୍ୟରୁ ଜଣାପଡ଼ିଛି।