ଲୋକସଭାରେ ସକ୍ରିୟ ଥିଲେ ଓଡ଼ିଆ ସାଂସଦ, ୧୭୦ଟି ଅଣତାରକା ପ୍ରଶ୍ନ କରିଥିଲେ, ୭ଜଣ ସାଂସଦ ଭାଗ ନେଇ ନଥିଲେ

ନୂଆଦିଲ୍ଲୀ, (ନଇମ ଅଖ୍‌ତାର): କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସଂସଦର ମୌସୁମୀ ଅଧିବେଶନକୁ ଗତକାଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଛୋଟ ଅବଧିର ମୌସୁମୀ ଅଧିବେଶନରେ ରାଜ୍ୟସଭା ଭଳି ଲୋକସଭାରେ କାର୍ଯ୍ୟ ଫଳପ୍ରଦ ରହିଥିଲା ତଥା କାର୍ଯ୍ୟ ଉତ୍ପାଦକତାର ପ୍ରତିଶତ ପୂର୍ବ ଅଧିବେଶନମାନଙ୍କ ତୁଳନାରେ ଅଧିକ ଥିଲା। ଏହି ସମୟରେ ରେକର୍ଡ ସଂଖ୍ୟକ ୨୫ଟି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କରୋନା କାଳର ମୌସୁମୀ ଅଧିବେଶନରେ ଲୋକସଭାରେ ଓଡ଼ିଆ ସାଂସଦମାନେ କୋଭିଡ୍-୧୯ର ନୂଆ ଅନୁଭବ ସହ ସଂସଦୀୟ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ।

ଚଳିତ ମୌସୁମୀ ଅଧିବେଶନରେ ବିଜୁ ଜନତା ଦଳ (ବିଜେଡି) ଲୋକସଭାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲା। ଅଧିବେଶନରେ ବିଜେଡିର ୩ ଜଣ ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ ୯ ଜଣ ସାଂସଦ ଗୃହରେ ଉପସ୍ଥିତ ରହି ବିଭିନ୍ନ ବିଲ୍‌ର ଆଲୋଚନା ଓ ବିତର୍କରେ ଭାଗନେଇଥିଲେ। ଶୂନ୍ୟକାଳ ଓ ସ୍ୱେଶାଲ ମେନ୍‌ସନ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ଅଧିବେଶନରେ ଗୃହୀତ ହୋଇଥିବା ୨୫ଟି ବିଲ୍‌ ମଧ୍ୟରୁ ୨୪ଟି ବିଲ୍‌କୁ ସମର୍ଥନ କରିଥିଲା। ସରକାରଙ୍କ ଦ୍ବାରା ଆଗତ ବିଭିନ୍ନ ବିଲ୍‌ର ଆଲୋଚନାରେ ବିଜେଡିର ତିନି ଜଣ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ ଓ ଅନୁଭବ ମହାନ୍ତି ସକ୍ରିୟ ଅଂଶଗ୍ରହଣ କରିଥିଲେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମହାମରୀ ରୋଗ (ସଂଶୋଧନ) ବିଲ୍ ୨୦୨୦ ଆଲୋଚନାରେ ଭାଗନେଇ ରାଜ୍ୟସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସାଂସଦ ପାଣ୍ଠି ସ୍ଥଗିତ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିସହିତ, କରୋନା ମୁକାବିଲା ପାଇଁ ଏସ୍‌ଡିଆରଏଫ୍‌ ପାଣ୍ଠିରେ ବୃଦ୍ଧି ସହ କରୋନା ପାଇଁ ଅଧିକ ବ୍ୟୟର ବ୍ୟବସ୍ଥା, କୋଇଲା ରୟାଲଟି ବୃଦ୍ଧି, ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦରର ନାମକରଣ, ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ, ମନରେଗା ଯୋଜନାରେ ଶ୍ରମ ଦିବସ ବୃଦ୍ଧି ଭଳି ପ୍ରସଙ୍ଗ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅପରପକ୍ଷେ, ଓଡ଼ିଶାର ସମସ୍ତ ବିଜେପିର ସାଂସଦମାନେ ଚଳିତ ଅଧିବେଶନରେ ଯୋଗ ଦେଇଥିଲେ। କମ୍ପାନି (ସଂଶୋଧନ) ବିଲ୍-୨୦୨୦ର ଆଲୋଚନାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାଗ ନେଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ସାଂସଦ ସୁ‌ରେଶ ପୂଜାରୀ ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ, ଯାହାକି, ସଂସଦର ପରିସରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯାଇଥିଲା। ସାଂସଦ ଶ୍ରୀ ପୂଜାରୀ କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତାକୁ କଠୋର ସମାଲୋଚନା କରିଥିବାବେଳେ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।

ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ତିନୋଟି ବିଲ୍‌ର ଆଲୋଚନାରେ ଭାଗନେଇଥିଲେ। କରୋନା ସମ୍ପର୍କିତ ଆଲୋଚନାରେ ସେ ସରକାରଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।

ଚଳିତ ଅଧିବେଶନରେ ତିନି ଦଳର ସାଂସଦମାନେ ଗୃହରେ ବିଭିନ୍ନ ବିଲ୍‌ର ଆଲୋଚନାରେ ଭାଗ ନେବା ସହିତ ଅଣତାରକା ପ୍ରଶ୍ନ ଜରିଆରେ ସରକାରଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ। ଓଡ଼ିଶାର ଲୋକସଭା ସାଂସଦମାନେ ସମୁଦାୟ ୧୭୦ଟି ଅଣତାରକା ପ୍ରଶ୍ନ କରିଥିଲେ। ସର୍ବାଧିକ ୪୯ଟି ଅଣତାରକା ପ୍ରଶ୍ନ ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ନାମରେ ରହିଥିଲା। ବିଜେଡିର ଚନ୍ଦ୍ରଶେଖର ସାହୁ ୨୦ଟି, ପିନାକୀ ମିଶ୍ର ୧୬ଟି, ବିଜେପିର ଅପରାଜିତା ଷଡ଼ଙ୍ଗୀ ୧୪ଟି, ବିଜେଡିର ଭର୍ତ୍ତୃହରି ମହତାବ ୧୩ଟି, ବିଜେପିର ବସନ୍ତ ପଣ୍ଡା ୧୨ଟି ଓ କଂଗ୍ରେସର ସପ୍ତଗିରି ଉଲାକା ୯ଟି ଅଣତାରକା ପ୍ରଶ୍ନ କରିଥିଲେ। ସାତ ଜଣ ସାଂସଦ ଅଣତାରକା ପ୍ରଶ୍ନ କରିନଥିଲେ।

୧୦ ଦିନିଆ ସଂକ୍ଷିପ୍ତ ଅଧିବେଶନରେ ଲୋକସଭା ବାଚସ୍ପତିଙ୍କ ଅନୁପସ୍ଥିତିରେ ପ୍ୟାନେଲ ଚେୟାରପର୍ସନ ତାଲିକାରେ ଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିଭିନ୍ନ ସମୟରେ ଗୃହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର