ନିଖୋଜ ବାୟୁସେନା ବିମାନରେ ଓଡ଼ିଆ ପାଇଲଟ ସୁମିତ ମହାନ୍ତି ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର : ନିଖୋଜ ଭାରତୀୟ ବାୟୁସେନା ବିମାନ ଏଏନ-୩୨ର ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହି ବିମାନରେ ୧୩ ଜଣ ଯାତ୍ରୀ ଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ଥିବା ଜଣାପଡିଛି । ତାଙ୍କ ନାଁ ଫ୍ଲାଇଟ ଲେପ୍ଟନାଣ୍ଟ ସୁମିତ ମହାନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି ।  ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଳିଆପଲ୍ଲିରେ ବୋଲି ଜଣାଯାଇଛି ।

ଅନ୍ୟପକ୍ଷରେ ବାୟୁସେନା ପକ୍ଷରୁ ଆଜି କୁହାଯାଇଛି ଯେ ନିଖୋଜ ବିମାନର ତଲାସି ପାଇଁ ସବୁପ୍ରକାରର ଉଦ୍ୟମ କରାଯାଉଛି ଓ ବିମାନରେ ଥିବା ଏୟାରଫୋର୍ସ କର୍ମଚାରୀମାନଙ୍କ ପରିବାରଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରକ୍ଷା କରାଯାଉଛି । ଏହା ସହିତ ସେମାନଙ୍କୁ ସବୁପ୍ରକାରର ସହାୟତା କରାଯାଉଛି ।

ବାୟୁସେନାପକ୍ଷରୁ କୁହାଯାଇଛି ଯେ ବାୟୁସେନା, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ମିଶି ଏହି ନିଖୋଜ ବିମାନର ତଲାସୀରେ ଲାଗିଛନ୍ତି । ଏହି ତଲାସୀ କାର୍ଯ୍ୟରେ ବାୟୁସେନାର ଏକ ସି-୧୩୦ଜେ,ଏମଆଇ-୧୭, ଏଏନ-୩୨ ଓ ଏକ ଏଏଲଏହ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

ସମ୍ବନ୍ଧିତ ଖବର