‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ କବି ହୃଷୀକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଦିଗରାଜଙ୍କୁ ‘ବାଲ୍‌ ସାହିତ୍ୟ ପୁରସ୍କାର’; ଦେବବ୍ରତଙ୍କୁ ‘ଯୁବ ସାହିତ୍ୟ ପୁରସ୍କାର’

ଭୁବନେଶ୍ବର: ୨୦୨୧ ବର୍ଷ ଲାଗି ଘୋଷଣା ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାର। ସୂଚନା ଅନୁସାରେ, ‘ସରିଯାଇଥିବା ଅପେରା’ ପୁସ୍ତକ ନିମନ୍ତେ କବି ହୃଷୀକେଶ ମଲ୍ଲିକ  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ପୂର୍ବରୁ ସେ କବିତା ପୁସ୍ତକ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ‘ଜେଜେ ଦେଖି ନ ଥିବା ଭାରତ’ କବିତା ପୁସ୍ତକ ନିମନ୍ତେ ତାଙ୍କୁ ସମ୍ମାନଜନକ ସାରଳା ପୁରସ୍କାର ମିଳିଥିଲା। ତାଙ୍କ ରଚିତ ୪୦ରୁ ଊର୍ଦ୍ଧ୍ବ ପୁସ୍ତକ ମଧ୍ୟରୁ ୧୨ଟି ହେଉଛି କବିତା, ୨ଟି କ୍ଷୁଦ୍ରଗଳ୍ପ ଏବଂ ଅନ୍ୟୂନ ୧୦ଟି ପୁସ୍ତକ ସାହିତ୍ୟ ସମାଲୋଚନା ଉପରେ ଆଧାରିତ।

ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ଶ୍ରୀ ମଲ୍ଲିକ କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଝଙ୍କାର ବିଷୁବ ପୁରସ୍କାର, ସଚ୍ଚି ରାଉତରାୟ କବିତା ପୁରସ୍କାର ଓ ଧରିତ୍ରୀ କବିତା ପୁରସ୍କାର ଭଳି ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ତାଙ୍କର ଅନେକ କବିତା ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଅନୁବାଦିତ ହୋଇଛି।

ସେହିପରି, ପିଲାଙ୍କ ସାହିତ୍ୟ ରଚନା କ୍ଷେତ୍ରରେ ଦିଆଯାଉଥିବା ‘ବାଲ୍‌ ସାହିତ୍ୟ ପୁରସ୍କାର’ ଚଳିତ ବର୍ଷ ପାଇବେ ଦିଗରାଜ ବ୍ରହ୍ମା। ‘ଗୀତ କହେ ମିତର କଥା’ ଶୀର୍ଷକ ପୁସ୍ତକ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ୧୯୪୯ ମସିହା ଏପ୍ରିଲ୍‌ ୧୩ ତାରିଖରେ କଟକ ଜିଲ୍ଲାର ଛତିଆ ଅନ୍ତର୍ଗତ ରୁଦ୍ରପୁରରେ ଜନ୍ମିତ ଦିଗରାଜ ବ୍ରହ୍ମା ଦୀର୍ଘ ଦିନ ଧରି ଶିଶୁ-ସାହିତ୍ୟ ରଚନା କରି ଆସୁଛନ୍ତି।

ପିଲାମାନଙ୍କ ପାଇଁ ଗଳ୍ପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ ଏବଂ ଜୀବନୀ ଭଳି ସେ ପ୍ରାୟ ୧୦ଟି ପୁସ୍ତକର ରଚୟିତା। ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ‘ସାର୍‌ ଜନ୍‌ଙ୍କ ପ୍ରିୟ ସାଥୀ’ ନାମକ ଗଳ୍ପର ଲେଖକ ଭାବେ ସେ ସୁପରିଚିତ। କଲେଜସ୍ତରରେ ମଧ୍ୟ ତାଙ୍କର ଅନେକ ଲେଖା ପାଠ୍ୟ ପୁସ୍ତ‌କରେ ଚଳୁଛି। ପିଲାମାନଙ୍କ ପାଇଁ ରେଡିଓ ଏବଂ ଟେଲିଭିଜନ୍‌ରେ ସେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ସମ୍ପାଦନା କରିଛନ୍ତି।

ଶିକ୍ଷାରେ ସ୍ନାତକୋତ୍ତର ଏବଂ ‘ଶିଶୁ ସାହିତ୍ୟର ଶିକ୍ଷାଗତ ପ୍ରୟୋଗ’ରେ ପିଏଚ୍‌ଡି କରିଥିବା ଶ୍ରୀ ବ୍ରହ୍ମା ଭୁବନେଶ୍ବରସ୍ଥିତ ରାଜ୍ୟ ଶିକ୍ଷା ଓ ଶିକ୍ଷକ ଶିକ୍ଷା ନିର୍ଦେଶାଳୟରେ ଉପନିର୍ଦେଶକ ଥିଲେ। ଏହାଛଡ଼ା, ସେ କୋରାପୁଟସ୍ଥିତ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ।

ଏହାଛଡ଼ା, ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ।

ସମ୍ବନ୍ଧିତ ଖବର