୭୦ ଦିନ ପରେ ଜଳଦସ୍ୟୁଙ୍କ କବଜାରୁ ମୁକ୍ତି ପାଇଲେ ଓଡିଆ ନାବିକ ସୁଦୀପ

କନକ ବ୍ୟୁରୋ: ଗତ ଏପ୍ରିଲ ୧୯ରୁ ନାଇଜେରିଆ ଜଳଦସ୍ୟୁଙ୍କ କବଜାରେ ଥିବା ଓଡ଼ିଆ ନାବିକ ସୁଦୀପ କୁମାର ମୁକ୍ତ ହୋଇଛନ୍ତି । ଭାରତ ସରକାରଙ୍କ ଅନୁରୋଧ କ୍ରମେ ନାଇଜେରିଆ ସରକାରଙ୍କ ମଧ୍ୟସ୍ଥତା ପରେ ତାଙ୍କୁ ଜଳଦସ୍ୟୁମାନେ ମୁକ୍ତ କରିଛନ୍ତି ।
ଗତବର୍ଷ ନଭେମ୍ବର ମାସରେ ଘାନାରୁ ବାହାରି ସମୁଦ୍ର ପଥରେ ନାଇଜେରିଆ ଯାଉଥିଲା ଜଳଜାହାଜ ‘ଏମଟି ଆପେକସ୍’ । ଗତ ଏପ୍ରିଲ ୧୯ରେ ମଝି ଦରିଆରେ ଏହି ଜାହାଜକୁ ଘେରିଗଲେ ସଶସ୍ତ୍ର ଜଳଦସ୍ୟୁ । ଜାହାଜକୁ କବଜା କଲା ପରେ ସେଥିରେ ଯାତ୍ରା କରୁଥିବା ସୁଦୀପଙ୍କ ସମେତ ମୋଟ ୭ ଜଣଙ୍କୁ ଅପହରଣ କରିନେଇଥିଲେ ।

ସେହି ଜାହାଜରେ ଥାର୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ ନାବିକ ସୁଦୀପ ଚୌଧୁରୀ । ପୁଅର ମୁକ୍ତି ପାଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଗୁହାରି କରିଥିଲେ ବାପାମାଆ । ଦୀର୍ଘ ଦିନ ଧରି ପ୍ରଦୀପଙ୍କ କୌଣସି ଖବର ନମିଳିବା ପରେ ଗତ ଜୁନ୍ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଉଦ୍ଧାର ନେଇ ଅନୁରୋଧ କରି ବିଦେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ସରକାରଙ୍କ ଉଦ୍ୟମ ଓ ଜାହାଜ ମାଲିକଙ୍କ ସହ ଜଳଦସ୍ୟୁଙ୍କ ବୁଝାମଣା, ନାଇଜେରିଆ ସରକାରଙ୍କ ସହଯୋଗରେ ୫ ଜଣ ଭାରତୀୟ ମୁକ୍ତି ପାଇଛନ୍ତି । ୭୦ ଦିନର ମୁଣ୍ଡ ଜାମିନ ଭାବେ ରହିବା ପରେ ମୁକ୍ତ ହୋଇଛନ୍ତି ସୁଦୀପ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି ସୁରକ୍ଷିତ ଭାବେ ଭାରତୀୟ ନାବିକଙ୍କ ମୁକ୍ତିର ଖବର ଜଣାଇଛନ୍ତି । ସେହପରି ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଓଡିଶାର ନାବିକ ସୁଦୀପ ଚୌଧୁରୀଙ୍କ ସମେତ ହରିୟାଣାର ଅଙ୍କିତ୍ ହୁଡା, ମହାରାଷ୍ଟ୍ରର ଚିରାଗ ଯାଦବ, ଆନ୍ଧ୍ର ପ୍ରଦେଶର ଅବିନାଶ ରେଡି ଓ ମୁଗୁ ରବି, ଜଳଦସ୍ୟୁଙ୍କ କବଳରୁ ମୁକ୍ତି ପାଇଛନ୍ତି । ନାଇଜେରିଆ ଦୂତାବାସରେ ପହଁଚିବା ପରେ ସେମାନଙ୍କର ଚିକିତ୍ସା କରାଯାଉଛି । ସୁଦୀପଙ୍କ ସମେତ ୩ ଜଣ ଭାରତୀୟ ମେଲେରିଆରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର