ନୂଆଦିଲ୍ଲୀ ‘ଓଡ଼ିଆ ସମାଜ’ ପକ୍ଷରୁ ୱେବିନାର୍‌

ଦେଶବିଦେଶରୁ ୯୦୦ରୁ ଊର୍ଦ୍ଧ୍ୱ ସାହିତ୍ୟ ଅନୁରାଗୀଙ୍କ ଅଂଶଗ୍ରହଣ

ବ୍ୟବହାର ବଢ଼ିଲେ ଓଡ଼ିଆ ସାହିତ୍ୟ ବଞ୍ଚିରହିବ: ପ୍ରତିଭା ରାୟ
ସାହିତ୍ୟ ନ ରହିଲେ ବିଶ୍ୱ ପରିଚାଳିତ ହେବନାହିଁ: ଶାନ୍ତନୁ ଆଚାର୍ଯ୍ୟ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ‘ଓଡ଼ିଆ ଭାଷା ଓ ସାହିତ୍ୟ: କିଛି ଦୃଷ୍ଟି,କିଛି ଚିନ୍ତା‌’ ପ୍ରସଙ୍ଗକୁ ନେଇ ଏକ ଅନ୍‌ଲାଇନ୍‌ ଆଲୋଚନାଚକ୍ର (ୱେବିନାର୍‌) ଅନୁଷ୍ଠିତ ହୋଇଯାଇଛି। ଏହି କ‌ାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ୯୦୦ ଜଣରୁ ଉର୍ଦ୍ଧ୍ବ ସାହିିତ୍ୟ ଅନୁରାଗୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ କହିଥିଲେ ଯେ, ଭାରତୀୟ ସାହିତ୍ୟ ପ୍ରଚ୍ଛଦପଟ୍ଟରେ ସମ୍ପ୍ରତି ଓଡିଆ ସାହିତ୍ୟ ମର୍ଯ୍ୟାଦାଜନକ ସ୍ଥାନରେ ରହିଛି। ଆତ୍ମାର ଆନନ୍ଦ ପାଇଁ ସାହିତ୍ୟ ଲେଖାଯାଏ। ସାହିତ୍ୟ ସର୍ବଦା ମାଟି ଓ ସମାଜ ସହ ସଂଶ୍ଳିଷ୍ଟ ହୋଇରହିଛି। ସାହିତ୍ୟ ରଚନା ସମୟରେ ଆତ୍ମ ସମ୍ମାନ, ଆତ୍ମବିଶ୍ବାସ ଓ ଆତ୍ମମର୍ଯାଦାକୁ ମନେ ରଖିବାକୁ ହେବ। ଓଡିଆ ସାହିତ୍ୟର ଭବିଷ୍ୟତ ସମ୍ପର୍କରେ ନିଜର ମତ ରଖି ଶ୍ରୀମତୀ ରାୟ କହିଥିଲେ, ବର୍ତମାନ ସମୟରେ କେବଳ ଉଚ୍ଚାଙ୍ଗ ସାହିତ୍ୟର ସୃଷ୍ଟି କଲେ ହେବନାହିଁ, ବରଂ ଏହାର ବ୍ୟବହାର ବଢିଲେ ଓଡିଆ ସାହିତ୍ୟ ବଂଚିରହିବ।

ବିଶିଷ୍ଟ ସାହିତ୍ୟ ସାଧକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ କହିଥିଲେ ଯେ, ସାହିତ୍ୟ ହେଉଛି ବିଶ୍ୱର ଇଞ୍ଜିନ। ସାହିତ୍ୟ ନ ରହିଲେ ବିଶ୍ୱ ପରିଚାଳିତ ହେବନାହିଁ। ଆତ୍ମାର ଅଭିବ୍ୟକ୍ତି ହେଉଛି ସାହିତ୍ୟ ରଚନା। କିନ୍ତୁ ସାହିତ୍ୟ ଏବେ ମୁମୂର୍ଷୁ ଅବସ୍ଥାରେ ରହିଛି।

ଫକୀରମୋହନ ବିଶ୍ବବିଦ୍ୟାଳୟର ପ୍ରଫେସର ମଣୀନ୍ଦ୍ର କୁମାର ମେହେର କହିଥିଲେ, ସାହିତ୍ୟ ଲୋକାଭିମୁଖୀ ହେଲେ ଲୋକେ ସାହିତ୍ୟାଭିମୁଖୀ ହେବା ଦରକାର। ସମାଲୋଚକମାନେ ନିଜେ ସାହିତ୍ୟ ରଚନାକୁ ପଢି ଉଦ୍‌ବୁଦ୍ଧ ହେବା ଦରକାର। ଯାହାଦ୍ୱାରା, ସେମାନେ ଅନ୍ୟ ଜଣକୁ ପଢିବା ପାଇଁ ଉଦ୍‌ବୁଦ୍ଧ କରିପାରିବେ। ନଚେତ ସାହିତ୍ୟ ସମୃଦ୍ଧ ହେବ ନାହିଁ।

ମୁଖ୍ୟ ଆୟକର କମିସନର୍‌ ତଥା ବିଶିଷ୍ଟ କଥାକାର ପାରମିତା ଶତପଥୀ ଏହି ୱେବିନାରଟିକୁ ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଭାପତି ସିଦ୍ଧାର୍ଥ ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ମୃଦୁଳା ପ୍ରଧାନ ଓ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ୯୦୦ରୁ ଉର୍ଦ୍ଧ୍ୱ ସାହିତ୍ୟ ଅନୁରାଗୀ ଅଂଶଗ୍ରହଣ କରିଥିଲେ।

ଆଲୋଚନା ଶେଷରେ ଓଡ଼ିଆ ସମାଜର ସଭାପତି ଶ୍ରୀ ପ୍ରଧାନ ଉପସ୍ଥିତ ଅତିଥି ତଥା ସମସ୍ତ ସାହିତ୍ୟପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଆ ସମାଜ ପକ୍ଷରୁ ନିଆଯାଇଥିବା ଏହି ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଆଲୋଚନା ଚକ୍ରରେ ସାହିତ୍ୟ ଜଗତର ବିଶିଷ୍ଟ ସାଧକ, ବ୍ୟକ୍ତିବିଶେଷଙ୍କ ସମେତ ଦେଶ ବିଦେଶରୁ ପ୍ରାୟ ୯୦୦ରୁ ଉର୍ଦ୍ଧ୍ୱ ଦର୍ଶକ ଏହି ଅନଲାଇନ ଆଲୋଚନାଚକ୍ରରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର