ଓଡ଼ିଆ ଯବାନଙ୍କୁ ମରଣୋତ୍ତର ‘କୀର୍ତ୍ତିଚକ୍ର’

ନୂଆଦିଲ୍ଲୀ : ଓଡ଼ିଆ ଯବାନ ପ୍ରଦୀପ କୁମାର ପଣ୍ଡାଙ୍କୁ ଆଜି ମରଣୋ‌ତ୍ତର କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦଙ୍କଠାରୁ ସହିଦ ପ୍ରଦୀପ ପଣ୍ଡାଙ୍କ ପତ୍ନୀ ମିନତୀ ପଣ୍ଡା କୀର୍ତ୍ତିଚକ୍ର ସମ୍ମାନ ଗ୍ରହଣ କରିଛନ୍ତି।। ସୁନ୍ଦରଗଡ଼ ଜିଲ୍ଲାର ଲିପ୍‌ଲୋଇ ଗାଁର ପ୍ରଦୀପ କୁମାର ପଣ୍ଡା ୨୦୦୬ରେ ସିଆ‌ରପିଏଫ୍‌ରେ ଯୋଗ ଦେଇଥିଲେ। ସିଆରପିଏଫ୍‌ର ୧୩୨ ବାଟାଲିଅନ୍‌ରେ ସେ କାର୍ଯ୍ୟ କରୁଥିଲେ। ୨୦୧୭ ଡିସେମ୍ବର ୩୦ରେ ଜମ୍ମୁ କଶ୍ମୀରର ଅବନ୍ତିପୁରା ସ୍ଥିତ ସିଆରପିଏଫ୍‌ ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରଦୀପ ପଣ୍ଡା ସହିଦ ହୋଇ ଯାଇଥିଲେ। ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ସିଆରପିଏଫ୍‌ ଯବାନ ସିଆରପିଏଫ୍‌ ଶିବିର ମଧ୍ୟକୁ ଆତଙ୍କବାଦୀଙ୍କ ପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ ମଧ୍ୟ ସମସ୍ତ ୫ ଜଣ ଯବାନ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇ ଯାଇଥିଲେ।
ଉଲ୍ଲେଖଯୋଗ୍ୟ ଚଳିତ ଜାନୁଆରି ୨୫ ତାରିଖରେ ଅଦମ୍ୟ ବୀରତ୍ବ ଓ ସାହସିକତା ପାଇଁ ପ୍ରଦୀପ କୁମାର ପଣ୍ଡାଙ୍କୁ ଦେଶର ଦ୍ବିତୀୟ ସର୍ବୋ‌ଚ୍ଚ ସାମରିକ ବୀରତ୍ବ ସମ୍ମାନ ‘କୀର୍ତ୍ତିଚକ୍ର’ ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। ଆଜି ରାଷ୍ଟ୍ରପତି ଭବନରେ ସାମରିକ ବୀରତ୍ବ ସମ୍ମାନ ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରି‌ଷ୍ଠ ନେତାମାନେ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର