କୋଟା: ରାଜସ୍ଥାନର କୋଟାରେ  ନିଟ୍‌ ପାଇଁ ପ୍ରସ୍ତୁତି କରୁଥିବା ଓଡ଼ିଶାର ଜଣେ ୨୪ ବର୍ଷୀୟ  ଛାତ୍ର  ଆତ୍ମହତ୍ୟା  କରିଛନ୍ତି। ମୃତ ଛାତ୍ରଙ୍କ ନାମ ରୋଶନ କୁମାର ପାତ୍ର ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମରେ। ରୋଶନ ଚାରି ମାସ ପୂର୍ବେ କୋଟାର ଏକ ଜଣାଶୁଣା କୋଚିଂ ଇନ୍‌ଷ୍ଟିଟ୍ୟୁଟ୍‌ରେ ନାମ ଲେଖାଇଥିଲେ ଏବଂ ରାଜୀବ ଗାନ୍ଧୀ ନଗରସ୍ଥିତ ଏକ ହଷ୍ଟେଲରେ ତାଙ୍କ ସଂପର୍କୀୟ ଭାଇଙ୍କ ସହ ରହୁଥିଲେ।  

Advertisment

ସୂଚନା ଅନୁଯାୟୀ, ରୋଶନ ଆଜି କ୍ଲାସ୍‌ରୁ ଫେରିବା ପରେ ତାଙ୍କ ଭାଇ ଅନ୍ୟ କ୍ଲାସ୍‌ ପାଇଁ ବାହାରି ଯାଇଥିଲେ। ପରେ  ତାଙ୍କ ଭାଇ ଆସି ଦେଖିଲାବେଳକୁ କୋଠରି ଭିତରୁ ବନ୍ଦ ଥିଲା, ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ମିଳିନଥିଲା। ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯିବା ପରେ କବାଟ ଭଙ୍ଗାଯାଇଥିଲା ଏବଂ କୋଠରିରେ ରୋଶନଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।  ତେବେ ସେଠାରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳିନଥିବା ପୁଲିସ କହିଛି।

ଜବାହରନଗର ଥାନାର ଏସ୍‌ଏଚ୍‌ଓ ରାମଲକ୍ଷ୍ମଣ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଛି। ଛାତ୍ରଙ୍କ ଆତ୍ମହତ୍ୟା ସଂପର୍କରେ ତାଙ୍କ ପରିବାରକୁ ଖବର ଦିଆଯାଇଛି ଏବଂ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଭାରତର  କୋଚିଂ ରାଜଧାନୀ  ଭାବେ ପରିଚିତ କୋଟାରେ ନିଟ୍‌ ଭଳି କଡ଼ା ପ୍ରତିଯୋଗିତାମୂଳକ ପରୀକ୍ଷାର ଚାପ ଯୋଗୁ ଛାତ୍ର ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ୨୦୨୫ରେ ରାଜସ୍ଥାନରେ ୨୦ଟି ଛାତ୍ର ଆତ୍ମହତ୍ୟା ମାମଲା ମଧ୍ୟରୁ ୧୮ଟି କୋଟାରେ ଘଟିଛି। ମାନସିକ ସ୍ୱାସ୍ଥ୍ୟ ସମର୍ଥନ ଓ କାଉନ୍‌ସେଲିଂ ପାଇଁ ଉଦ୍ୟମ ସତ୍ତ୍ୱେ ଛାତ୍ର ଆତ୍ମହତ୍ୟା ଥମୁ ନଥିବାରୁ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।