ସାଙ୍ଗାରେଡି: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍)ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

Advertisment

ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ। ତାଙ୍କ ନାମ ମମିତା ନାୟକ। ବୟସ ମାତ୍ର୧୯ ବର୍ଷ । ଚଳିତବର୍ଷ ‌ସେ ଆଇଆଇଟି ହାଇଦ୍ରାବାଦରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସୋମବାର ରାତିରେ ତାଙ୍କୁ ତାଙ୍କ ହଷ୍ଟେଲ୍‌ ରୁମ୍‌ରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖବାକୁ ମିଳିଥିଲା। ସାଙ୍ଗାରେଡି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମମିତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ‌ନୋଟ୍‌ ବି ଉଦ୍ଧାର ହୋଇଛି। ସୁଇସାଇଡ୍‌ ନୋଟ୍‌ ଓଡ଼ିଆରେ ଲେଖାଯାଇଛି। ସେ ଆର୍ଥିକ ସଂକଟ ହେତୁ ଜୀବନ ହାରୁଥିବା ତାଙ୍କ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ମମିତା ଜୁଲାଇ ୨୬ ତାରିଖରେ ଆଇଆଇଟିକୁ  ଆସିଥିଲେ। ତାଙ୍କ ପରିବାର ଲୋକଙ୍କୁ ମମିତାଙ୍କ ମୃତ୍ୟୁ ଖବର ଦିଆଯାଇଛି।

ତେବେ, ସୂଚନା ରହିଛି ଯେ ଗତ ୧ ବର୍ଷ ଭିତରେ ଏହା ହେଉଛି ଆଇଆଇଟି ହାଇଦ୍ରାବାଦ କ୍ୟାମ୍ପସ୍‌ର ଚତୁର୍ଥ ଘଟଣା। ମମିତାଙ୍କ ପୂର୍ବରୁ ଆହୁରି ୩ ଜଣ ଛାତ୍ର ବର୍ଷକ ମଧ୍ୟରେ ଜୀବନ ହାରିଛନ୍ତି। ପୁଲିସ୍‌ ଏବେ ମମିତା ମୃତ୍ୟୁକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।