ଜେଏନ୍‌ୟୁ ଛାତ୍ରସଂଘର ନିର୍ବାଚନ: ସଭାପତି ପ୍ରାର୍ଥୀ ଓଡ଼ିଆ ଛାତ୍ର ଜିତେନ୍ଦ୍ର ଦିନେ ହେଲପର ଥିଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୬ରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘ ନିର୍ବାଚନ ହେବ। ଏଥର ଛାତ୍ରସଂଘର ସଭାପତି ପଦ ପାଇଁ ୬ଟି ଭିନ୍ନ ଭିନ୍ନ ସଂଗଠନରୁ ୬ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଜେଏନ୍‌ୟୁ ଛାତ୍ର ସଂଘର ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ଓଡ଼ିଆ ଛାତ୍ର ଜିତେନ୍ଦ୍ର ସୁନା ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଜିତେନ୍ଦ୍ର ସୁନା ବିର୍ସା ଆମ୍ବେଦ୍‌କର ଫୁଲେ ଛାତ୍ର ଆସୋସିଏସନ (ବାପସା)ରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସାମାଜିକ ଓ ପାରିବାରିକ ପୃଷ୍ଠଭୂମିକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

୨୦୧୩ରୁ ଛାତ୍ର ରାଜନୀତିରେ ସକ୍ରିୟ ଥିବା କଳାହାଣ୍ଡି ଜିଲ୍ଲାର ପୁରକେଲା ଗାଁର ଜିତେନ୍ଦ୍ର ସୁନା ପିଲାଦିନରୁ କ୍ଷେତରେ କାମ କରୁଥିଲେ। ତାଙ୍କର ମା’ ପନିପରିବା ବିକ୍ରି କରୁଥିବାବେଳେ ବାପା ମଜୁରୀ ଖଟୁଥିଲେ। ପୁରକେଲାରେ ତାଙ୍କର ଯୁକ୍ତ ୨ ପାଠ୍ୟକ୍ରମ ସାରି ସେ ଦିଲ୍ଲୀ ଚାଲିଆସିଥିଲେ। ଏଠାରେ ତାଙ୍କ ଭାଇ ଜେନ୍‌ୟୁ ପାଖରେ ଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍‌ରେ ମଜୁରିଆ ରୂପେ କାର୍ଯ୍ୟ କରୁଥିଲେ। ଭାଇଙ୍କ ସହାୟତାରେ ଜିତେନ୍ଦ୍ରଙ୍କୁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ରେ ହେଲପର କାମ ମିଳିଥିଲା ଏବଂ ପ୍ରାୟ ୨ ବର୍ଷ ସେ ଏହି କାମ କରିଥିଲେ। ୨୦୧୩ରେ ଜିତେନ୍ଦ୍ର ସୁନା ଜେଏନ୍‌ୟୁରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମ୍‌ଏ (ଇତିହାସ)ରେ ନାମ ଲେଖାଇଲେ ତଥା ଏମ୍‌ଏ ପରେ ଏମଫିଲ୍ ପାଠ୍ୟକ୍ରମ ମଧ୍ୟ ଶେଷ କଲେ। ଏମ୍‌ଏ ଓ ଏମଫିଲ୍ କରିବା ସମୟରେ ସେ ବାପସା ସଂଗଠନ ସହିତ ଯୋଡି ହୋଇଯାଇଥିଲେ ଏବଂ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଜଣେ ଉତ୍ତମ ବକ୍ତା ତଥା ସଂଗଠକ ରୂପେ ସେ ଜେଏନ୍‌ୟୁରେ ପରିଚିତ। ବର୍ତ୍ତମାନ ସେ ଜେଏନ୍‌ୟୁରେ ପିଏଚଡି ଛାତ୍ର ଅଛନ୍ତି ଏବଂ ଜେଏନୟୁ ଛାତ୍ର ସଂଘର ସଭାପତି ପଦରେ ନିର୍ବାଚନ ଜିଣିବା ପାଇଁ ଜୋରଦାର୍ ପ୍ରଚାର କରୁଛନ୍ତି। ଜେଏନ୍‌ୟୁରେ ୮ ହଜାର ଛାତ୍ରଛାତ୍ରୀ ଛାତ୍ର ସଂସଦ ନିର୍ବାଚନରେ ମତଦାନ କରିବେ । ଜେଏନ୍‌ୟୁରେ ଏବେ ପ୍ରାୟ ୪ ଶହ ଓଡ଼ିଆ ଛାତ୍ରଛାତ୍ର ରହିଛନ୍ତି।

ସମ୍ବନ୍ଧିତ ଖବର