ଭୁବନେଶ୍ବର : ୟୁକ୍ରେନ ଛାଡ଼ିବା ଲାଗି ଭାରତ ସରକାର ପରାମର୍ଶ ଦେଉଥିଲେ ମଧ୍ୟ ଏବେ ବି କିଛି ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀ ଖାର୍କିଭ୍ରେ ଫସି ରହିଛନ୍ତି। ସେମାନେ ଖାର୍କିଭ୍ରୁ କିଛି କି.ମି ଦୂର ଏକ ସ୍କୁଲରେ ରହିଥିବା ସୂଚନା ମିଳିଛି। ତହିଁରେ ୨ଜଣ ମେଡିକାଲ ଛାତ୍ରୀ ରହିଛନ୍ତି। ୟୁକ୍ରେନ୍ରେ ପରିସ୍ଥିତି ବେଶ୍ ଗମ୍ଭୀର ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ଲାଗି ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।
ଅପରପକ୍ଷରେ ଅନ୍ୟ ଦେଶକୁ ଯିବା ଲାଗି ଗମନାଗମନର ବିଶେଷ ସୁବିଧା ନ ଥିବା ବେଳେ ଟ୍ରେନ୍ରେ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କ ବାଛବିଚାରର ସମ୍ମୁଖୀନ ହେବାକୁ ପଡ଼ୁଛି। କେବଳ ଟ୍ରେନ୍ରେ ଚଢ଼ିବା ଲାଗି ୟୁକ୍ରେନ୍ ପୁଲିସକୁ ୧୪ହଜାର ଟଙ୍କାର ଲାଞ୍ଚ ଦେବାକୁ ପଡ଼ୁଛି। ଅନେକ ବହୁ କଷ୍ଟରେ ହଙ୍ଗେରୀ, ପୋଲାଣ୍ଡ ଭଳି ଦେଶକୁ ପଳାଇଛନ୍ତି। ସେଠାରେ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ପ୍ରଦାନ କରାଯାଉଛି। ତେବେ ଘରକୁ ଫେରିବା ଲାଗି ସେମାନେ ବ୍ୟାକୁଳ ଥିବା ‘ସମ୍ବାଦ’କୁ କହିଛନ୍ତି।
ଖାର୍କିଭ୍ ମେଡିକାଲ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଦିନେଶ କହିଛନ୍ତି, ୟୁକ୍ରେନ୍ରୁ ଖସିବା ଏକପ୍ରକାର ଆହ୍ବାନ ସୃଷ୍ଟି କରିଛି। ୨ଦିନ ତଳେ କିଛି ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ର ଖାର୍କିଭ୍ରୁ ଟ୍ରେନ୍ରେ ଯିବାକୁ ବାହାରିଥିବା ବେଳେ ସେଠାରେ ବାଛବିଚାରର ଶିକାର ହେବାକୁ ପଡ଼ିଥିଲା। ପ୍ରଥମେ ୟୁକ୍ରେନ୍ର ବାସିନ୍ଦା, ପରେ ମହିଳା, ଭିନ୍ନକ୍ଷମ ଓ ଶେଷରେ ଯୁବକମାନଙ୍କୁ ଯିବା ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଯୁବକମାନଙ୍କ ପାଳି ଆସିଲା ବେଳକୁ ସେଠାର ଚେକ୍ ପୋଷ୍ଟରେ ଥିବା ପୁଲିସ/ଯାଞ୍ଚକାରୀ ଛାଡ଼ି ନ ଥିଲେ। ଭାରତୀୟ ମୁଦ୍ରାରେ ୧୪ହଜାର ଟଙ୍କା ଲେଖାଏ ଦେବା ପରେ ସେମାନେ ଟ୍ରେନ୍ରେ ଚଢ଼ିବାକୁ ଅନୁମତି ଦେଇଥିଲେ। ଟ୍ରେନ୍ରେ ୨୦ଘଣ୍ଟା ଛିଡ଼ା ହୋଇ ଶେଷରେ ଲିଭିଭ୍ ଓ ଶେଷରେ ପୋଲାଣ୍ଡରେ ପହଞ୍ଚିଛୁ। ଏଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଦିନେଶ କହିଛନ୍ତି।
/sambad/media/post_attachments/wp-content/uploads/2022/03/india-ukraine.jpg)
ସେହିପରି ଅନ୍ୟ ଜଣେ ଛାତ୍ର ସମ୍ବିତ କହିଛନ୍ତି, ୨ଦିନ ତଳେ କିଭ୍ରେ ସେ ରହୁଥିବା ହଷ୍ଟେଲରେ ହଠାତ୍ ସ୍ଥାନୀୟ ସରକାର ବାହାରି ଯିବାକୁ ନିର୍ଦେଶ ଦେଇଥିଲେ। ସଂପୃକ୍ତ ହଷ୍ଟେଲରେ ରହୁଥିବା ହଜାରରୁ ଅଧିକ ଛାତ୍ର ବାହାରକୁ ପଳାଇ ଆସିଥିଲେ। ୫ କି.ମି ଚାଲିବା ପରେ ଟ୍ରେନରେ ଲିଭିଭ୍ ଯାଇଥିଲୁ। ସେଠାରୁ ବସ୍ ଯୋଗେ ହଙ୍ଗେରୀ ସୀମାକୁ ଆସିବାକୁ ପଡ଼ିଥିଲା। ମାତ୍ର ହଙ୍ଗେରୀ ସୀମାରେ ଛାଡ଼ି ନ ଥିଲେ। ବିଯୁକ୍ତ ୩/୪ ଡିଗ୍ରି ତାପମାତ୍ରାରେ ୯ଘଣ୍ଟା ଅପେକ୍ଷା କରିବା ପରେ ହଙ୍ଗେରୀ ରାଜଧାନୀର ୩୦ କି.ମି ଦୂରରେ ଏକ ହୋଟେଲ୍ରେ ରହିବା ସମ୍ଭବ ହୋଇପାରିଛି। ହେଲେ ଖାର୍କିଭ୍ରେ ୨ ଓଡ଼ିଆ ଛାତ୍ରୀଙ୍କୁ ମିଶାଇ ୬ଜଣ ଫସି ରହିଛନ୍ତି।
ଅପରପକ୍ଷରେ ୟୁକ୍ରେନ୍ରୁ ଫେରିଥିବା ଋତୁପୂର୍ଣ୍ଣା ରାଉତ, ଜ୍ୟୋତିପ୍ରକାଶ ବେହେରା, ଆକାଂକ୍ଷା ମଲ୍ଲିକ୍ ଓ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଫେରିବା ଲାଗି ରାଜ୍ୟ ସରକାର ବସ୍ର ବ୍ୟବସ୍ଥା କରିବା ସମେତ ସମସ୍ତ ଖର୍ଚ ବହନ କରିଥିବାରୁ ଛାତ୍ରଛାତ୍ରୀମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ୟୁକ୍ରେନରୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ତତ୍ପରତା ପ୍ରକାଶ କରିଛନ୍ତି। ୟୁକ୍ରେନରୁ ଖସି ଆସି ପଡୋଶୀ ଦେଶରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାର ୪ ଜଣଙ୍କୁ ସ୍ବତନ୍ତ୍ର ପ୍ରତିନିଧି ଭାବେ ଦାୟିତ୍ୱ ଦେଇଛନ୍ତି। କିଟ୍, କିସ୍ ବିଶ୍ୱବିଦ୍ୟାଳୟର ଉପ-ସଭାପତି(ଅନ୍ତର୍ଜାତୀୟ ସଂପର୍କ) ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ ଓ ଅନ୍ୟ ଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱ ଦିଆଯାଇଛି। ସେହିପରି ବରିଷ୍ଠ ଟିଡିପିଏସ୍ ଅଧିକାରୀ ଆଋଷୀ ରାୟ ହଙ୍ଗେରୀ, ରୋମାନିଆରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ ବୈଶାଳୀ ମହାନ୍ତି। ଏହି ତିନି ଅଫିସରଙ୍କ ସହିତ ଅନୁରାଗ ପଟ୍ଟନାୟକ ସ୍ଲୋଭାକିଆରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ଯୋଗାଯୋଗ କରିବେ। ଏହି ୪ ପ୍ରତିନିଧି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ ସହ ଯୋଗାଯୋଗରେ ରହିବା ଲାଗି କୁହାଯାଇଛି। ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଲାଗି ଯେଉଁ ଖର୍ଚ ହେବ ତାହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।