ଆମଷ୍ଟରଡମ୍ : ଓଡ଼ିଆ ସୋସିଓ କଲ୍ଚରାଲ୍ ଆସୋସିଏସନ୍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍ଟ ନଗରର ସ୍ପିରିଟ୍ ଅଫ୍ ଇଣ୍ଡିଆ ସଭାଗାରଠାରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧିକ ଓଡ଼ିଆ ପରିବାର ସେମାନଙ୍କର ବନ୍ଧୁବାନ୍ଧବ ଓ ପରିଜନଙ୍କ ସହିତ ଯୋଗଦେଇଥିବା ଦେଖାଯାଇଥିଲା। ସମ୍ମିଳନୀ ସ୍ଥଳକୁ ଏଭଳି ସୁନ୍ଦର ଏବଂ ସୁରମ୍ୟ ଢଙ୍ଗରେ ସଜା ଯାଇଥିଲା ଯେ, ଏହା ଏକ ମିନି ଓଡ଼ିଶାର ରୂପ ଧାରଣ କରିଥିଲା। ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ବିଶେଷକରି କୋଭିଡ୍ ଅବରୋଧ ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ରଙ୍ଗମଞ୍ଚରେ ରଜପର୍ବ ପାଳନ କରାଯାଉଥିବା ଯୋଗୁଁ ଓସ୍କାନର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା ।
ମୁଖ୍ୟ ଅତିଥି ଇନ୍ଫୋସିସ୍ର ନେଦରଲ୍ୟାଣ୍ଡସ୍ ରାଷ୍ଟ୍ର ମୁଖ୍ୟ ପୁନିତ୍ ଶୁକ୍ଳା ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଶ୍ରୀ ଶୁକ୍ଳା ତାଙ୍କର ଅଭିଭାଷଣରେ ଓଡ଼ିଶାର ଉତ୍କୃଷ୍ଟ କଳା, ମହାନ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ନେଦରଲ୍ୟାଣ୍ଡସରେ ପ୍ରଚାର, ପ୍ରସାର କରିବାରେ ଓସ୍କାନର ସାଧୁ ଉଦ୍ୟମକୁ ସ୍ୱାଗତ ଜଣାଇଥିଲେ । ଏକ ଭିଡିଓ ବାର୍ତ୍ତାରେ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓଡ଼ିଶାର ପର୍ବ, ପର୍ବାଣୀଗୁଡ଼ିକୁ ୟୁରୋପରେ ପାଳନ ଓ ଏସବୁକୁ ଲୋକପ୍ରିୟ କରୁଥିବା ଯୋଗୁଁ ଓସ୍କାନ ଟିମ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉପସ୍ଥିତ ଅତିଥିମାନେ କରୋନା ମହାମାରୀ ସଂକ୍ରମଣ କାଳରେ ଏବଂ ଫନି ବାତ୍ୟା ସମୟରେ ଓସ୍କାନ ତରଫରୁ ଓଡ଼ିଶାରେ କରାଯାଇଥିବା ସାମାଜିକ ଓ ଦାତବ୍ୟ ସେବା କାର୍ଯ୍ୟର ଭୁରଭୁରି ପ୍ରଶଂସା ଗାନ କରିଥିଲେ । ଏହା ସହିତ ନେଦରଲ୍ୟାଣ୍ଡସକୁ ଉଚ୍ଚ ଶିକ୍ଷା ପାଇଁ ଆସୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ବୈଷୟିକ ଏବଂ କୌଶଳ ବିକାଶ ତାଲିମ ପ୍ରଦାନ ପାଇଁ ଓସ୍କାନ ତରଫରୁ ସେମିନାରମାନ ଆୟୋଜନ କରାଯାଉଥିବା ଯୋଗୁଁ ସେମାନେ ଖୁସି ବ୍ୟକ୍ତ କରିଥିଲେ ।
ପାର୍ବଣର ସ୍ୱତନ୍ତ୍ର ଆକର୍ଷଣ ଓସ୍କାନର ସଦସ୍ୟ, ସଦସ୍ୟା ଏବଂ ସେମାମାନଙ୍କର ପରିବାର ଦ୍ୱାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଏଥି ମଧ୍ୟରେ ଓଡ଼ିଶୀନୃତ୍ୟର ମଙ୍ଗଳାଚରଣ ସଂରଚନା, ‘ମୋ ଓଡ଼ିଶା’ ଶୀର୍ଷକ ସଂଗୀତ ଏବଂ ହୁଳହୁଳି, ଅଳତା ଲଗା, ଶାଢ଼ୀ ପିନ୍ଧା ଓ ସଜବାଜ ଆଦି କୌତୁକପ୍ରଦ ପ୍ରତିଯୋଗିତା, ଫ୍ୟାସନ ଶୋ ତଥା କୁଇଜ୍ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ଓସ୍କାନ ଟିମ୍ର ସଦସ୍ୟ ଯଥା ସଭାପତି ଶାଶ୍ୱତ ପାଢ଼ୀ, ପରିତୋଷ ମହାପାତ୍ର, ସୁଶୀଲ ଦାସମହାପାତ୍ର, ଲୋପାମୁଦ୍ରା ନାୟକ, ଅରବିନ୍ଦ ଘଡ଼ାଇ, ଦେବଦତ୍ତ ଦାଶ, ଦୀପକ ପରିଡ଼ା, ଲିଓଶ୍ରୀ ମହାପାତ୍ର, ସୋମନାଥ ଲେଙ୍କା, ଅଂଶୁମାନ ମିଶ୍ର ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରଜ ମିଳନ ୨୦୨୨ ପର୍ବ ଆୟୋଜନରେ ନେଦରଲ୍ୟାଣ୍ଡସର ନୋବେଲ ହାଇପୋଥେକେନ୍ ଓ ଜାନ୍ସେନସ୍ମିତ ମେକଲର୍ସ ଏନ୍ ଟେକସାଟିଅର୍ସ ତଥା ଓଡ଼ିଶାର ଏ.ଏ.ଓ.ଏନ୍.ଏକ୍ସ.ଟି, ଓମ୍ ଆୟାନ ଇନ୍ଫ୍ରା ଓ ଏସ୍.ଜେ.ପି.ଡି ବିଲ୍ଡର ଆଦି ସଂସ୍ଥା ସହଯୋଗ କରିଥିଲେ ।