ସକ୍ରିୟ ସଂକ୍ରମଣ ଦୃଷ୍ଟିରୁ ଦେଶର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବଢିବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ଦେଶ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର,କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଓ ରାଜସ୍ଥାନ ରହିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

ତେବେ ମହାରାଷ୍ଟ୍ର,କର୍ଣ୍ଣାଟକ, ତାମିଲନାଡୁ, କେରଳ,ଦିଲ୍ଲୀ ଓ ଉତ୍ତରପ୍ରଦେଶର ସ୍ଥିତି ଚିନ୍ତାଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଯାଇଛି ଓ ସ୍ଥିତି ଉପରେ ନିୟମିତଭାବେ ନଜର ରଖାଯାଇଛି ବୋଲି ସେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି ଅବସରରେ ଆଇସିଏମଆରର ମହାନିର୍ଦ୍ଦେଶକ ଡ.ବଳରାମ ଭାର୍ଗବ କହିଛନ୍ତି ଯେ ଦେଶରେ ଉଚ୍ଚ ଟିକାକରଣ ଯୋଗୁଁ ଚଳିତ ବର୍ଷ ଅଧିକ କରୋନା ଆକ୍ରାନ୍ତ ଗୁରୁତର ହୋଇ ହସପିଟାଲ ଭର୍ତ୍ତି ହେଉନାହାନ୍ତି ଓ ମୃତ୍ୟୁହାର ବି କମ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୭ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୨୪ ହଜାର ଟପିଯାଇଛି । ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୩୪୬କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର