ନୂଆଦିଲ୍ଲୀ : ଖୁବ୍ଶୀଘ୍ର ରାଜଧାନୀ ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ସମେତ ମାଲାୟଲମ୍, ଗୁଜରାଟୀ, ବଂଗାଳୀ, କଶ୍ମିରୀ, ତେଲୁଗୁ, କନ୍ନଡ଼, ହରିୟାଣୀ, ଗଡ଼ଓ୍ଵାଲି, କୁମାୟୁଁ, ଆସାମ, ତାମିଲ, ପାଲି, ପ୍ରାକ୍ରିତ୍ ଓ ମାରଓ୍ଵାଡ଼ି ଏକାଡେମୀ ଖୋଲାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ବସବାସ କରୁଥିବା ବିଭିନ୍ନ ରାଜ୍ୟର ଲୋକ ଏବଂ ସେମାନଙ୍କ ଭାଷା ଅନୁସାରେ ଏକାଡେମୀ ଖୋଲାଯିବା ନେଇ କ୍ୟାବିନେଟ୍ ମଂଜୁରି ପ୍ରଦାନ କରାଯାଇଛି। ଓଡ଼ିଆ ସମେତ ୧୫ଟି ନୂଆ ଏକାଡେମୀ ଖୋଲାଯିବା ପାଇଁ ବିଭିନ୍ନ ସଂଗଠନ ଓ ସଂସ୍ଥାମାନଙ୍କ ପକ୍ଷରୁ ଦିଲ୍ଲୀ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ଦିଲ୍ଲୀରେ ବର୍ତ୍ତମାନ ହିନ୍ଦୀ, ସଂସ୍କୃତ, ମୈଥିଲି, ଭୋଜପୁରୀ, ପଂଜାବୀ, ସିନ୍ଧି ଓ ଉର୍ଦ୍ଦୁ ଭାଷାରେ ଏକାଡେମୀ ରହିଛି। କ୍ୟାବିନେଟ୍ ନିଷ୍ପତ୍ତି ନିଆଯିବା ପୂର୍ବରୁ ଦିଲ୍ଲୀ ସରକାର ରାଜ୍ୟରେ ଓଡ଼ିଆ ଭାଷା ଏକାଡେମୀ ସମେତ ୧୫୦ଟି ଭାଷା ଏକାଡେମୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ପରିମାଣର ବ୍ୟୟବରାଦ କରାଯିବ ବୋଲି କହିଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଏକାଡେମୀ ଖୋଲାଯାଇ ଭାଷାଗୁଡ଼ିକୁ କେବଳ ପ୍ରଚାର ଓ ପ୍ରସାର କରାଯିବନି ବରଂ ଭାଷା ଜରିଆରେ କଳା ଓ ସଂସ୍କୃତିର ବିକାଶ ମଧ୍ୟ କରାଯିବ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିର୍ମଳ ପଟ୍ଟନାୟକ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପ୍ରବାସୀ ଓଡ଼ିଆଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି ବୋଲି ‘ସମ୍ବାଦ’କୁ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।
ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ
/sambad/media/post_attachments/wp-content/uploads/2018/08/odia-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)