ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ବିଜେପି ବିଧାୟକମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପରିପେକ୍ଷୀରେ ଦଳର ପ୍ରସ୍ତୁତି ସଂପର୍କରେ ଶୀର୍ଷ ନେତୃବୃନ୍ଦଙ୍କ ସହ ବିଧାୟକମାନେ ଆଲୋଚନା କରିଥିବା ଜଣାପଡ଼ିଛି। ବିଜେପିର ୧୯ ଜଣ ବିଧାୟକ ଆଜି ପ୍ରଧାନମନ୍ତ୍ରୀଙ୍କ ସଂସଦ ଭବନ କାର୍ଯ୍ୟାଳୟରେ ଅପରାହ୍ଣ ୫ଟାରେ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ନିକଟରେ ତିନି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ଯେଭଳି ସଫଳତା ମିଳିଛି ତାହାକୁ ଭିତ୍ତିକରି ଓଡ଼ିଶାରେ ଦଳ କିଭଳି ଆଗାମୀ ନିର୍ବାଚନରେ ଭଲ ପ୍ରର୍ଦଶନ କରିବ ସେ ନେଇ ପ୍ରଧାନମନ୍ତ୍ରୀ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି। ସେହିଭଳି ବିଜେପି ବିଧାୟକମାନେ ଆଜି ଅପରାହ୍ଣ ୧ଟା ବେଳେ ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ଆଗାମୀ ନିର୍ବାଚନ ରଣନୀତିକୁ ନେଇ ଆଲୋଚନା କରିଥିଲେ। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିବା ପରେ ବିଧାୟକ ଜୟ ନାରାୟଣ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ଦଳ କିଭଳି ଶାସନ କ୍ଷମତାକୁ ଫେରିବ ସେ ନେଇ ଆଜି ଆଲୋଚନା ହୋଇଛି।
ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସାକ୍ଷାତ ଆଲୋଚନା ହୋଇଥିଲା। ଦୁଇ ନେତାଙ୍କୁ ସାକ୍ଷାତ କରି ବିଧାୟକମାନେ ଉତ୍ସାହିତ ଥିବା ଶ୍ରୀ ମିଶ୍ର କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ଆମେ ଓଡ଼ିଶା ଫେରୁଛୁ। ଓଡ଼ିଶାରେ ଦଳର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଓଡ଼ିଶା ଗସ୍ତ କରିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଦୁଇ ନେତାଙ୍କ ସହିତ ନିର୍ବାଚନ ରଣନୀତିକୁ ନେଇ କ’ଣ ସବୁ ଆଲୋଚନା ହେଲା ବୋଲି ପ୍ରଶ୍ନ କରାଯିବାରୁ ଶ୍ରୀ ମିଶ୍ର ରଣନୀତି କେବେ ସାର୍ବଜନୀନ ହୁଏ ନାହିଁ ବୋଲି କହିଥିଲେ। ଓଡ଼ିଶାର ୧୯ ଜଣ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ହେଲେ ବୈଠକରେ ଓଡ଼ିଶାର କୌଣସି ବିଜେପି ସାଂସଦ ସାମିଲ ନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ,ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଜୁଏଲ ଓରାମଙ୍କ ବାସଭବନକୁ ନିମନ୍ତ୍ରିତ ହୋଇଥିଲେ। ଆସନ୍ତାକାଲି ବିଜେପି ବିଧାୟକମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ସମ୍ଭାବନା ରହିଛି।