#ମିଠୁ ରେ ଖୁଲାସା କଲେ ବଲିଉଡ୍‌ର ସଫଳ ଓଡ଼ିଆ ଅଭିନେତ୍ରୀ ଡଲି ଜେନା; ‘କମ୍ପ୍ରମାଇଜ୍‌’ ପାଇଁ ବାଧ୍ୟ କରିିଥିଲେ ବହୁ ନାମୀଦାମୀ ପ୍ରଯୋଜକ- ନିର୍ଦ୍ଦେଶକ

ଭୁବନେଶ୍ୱର: ବଲିଉଡ୍‌ରେ ବେଶ ନାଁ କମାଇଥିବା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାରେ ଜନ୍ମିତ ତଥା ଓଡ଼ିଆ ଅଭିନେତ୍ରୀ ବିଜୟା ଜେନା ଓରଫ ଡଲି ଜେନା ନିଜକୁ ସାମିଲ କରିଛନ୍ତି #ମି ଠୁ ଅଭିଯାନରେ। #ମି ଠୁ ଅଭିଯାନରେ ନିଜକୁ ସାମିଲ କରିବା ସହ ସେ କିପରି ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ ପ୍ରଯୋଜକ- ନିର୍ଦ୍ଦେଶକଙ୍କ ଦ୍ୱାରା ଯୌନ ଶୋଷଣ ଓ ଯୌନ ନିର୍ଯାତନାର ଶିକାର ହୋଇଥିଲେ ତା’ର ସଂପୂର୍ଣ୍ଣ ବିବରଣୀ ପ୍ରକାଶ କରିଛନ୍ତି ସାଧାରଣରେ।

ବହୁ ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର, ‘ରଜିଆ ସୁଲତାନ’ ଠାରୁ ଆରମ୍ଭ କରି ‘ହୋଲି’ ପର୍ଯ୍ୟନ୍ତ ଏକାଧିକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ ପାଇଁ ଅନେକ ସଫଳତା ଓ ପ୍ରଶଂସା ସାଉଁଟିଥିବା ଡଲି ଜେନାଙ୍କୁ ମଧ୍ୟ ବଲିଉଡ୍‌ରେ ଯୌନ ଶୋଷଣ ଓ ଯୌନ ନିର୍ଯାତନାର ସାମନା କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଖୋଦ୍‌ ଅଭିନେତ୍ରୀ ଡଲି ଜେନା। ପୁଣେର ଖ୍ୟାତିସଂପନ୍ନ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଟିଆଇଆଇ)ରୁ ଅଭିନୟରେ ଡିଗ୍ରି ହାସଲ କରିବା ସହ ଜଣେ ଅଭିଜ୍ଞତା ସଂପନ୍ନ ପେଶାଦାର ଅଭିନେତ୍ରୀ ହୋଇଥିଲେ ସୁଦ୍ଧା ଚଳଚ୍ଚିତ୍ରରେ ସୁଯୋଗ ଦେବା ପାଇଁ ତାଙ୍କୁ ବଲିଉଡ୍‌ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ‘କମ୍ପ୍ରମାଇଜ୍‌’ କରିବାକୁ କହିଥିଲେ। ତେବେ, ନିଜ ନୀତି ଓ ଆଦର୍ଶରେ ବିଶ୍ୱାସ ରଖୁଥିବା ଅଭିନେତ୍ରୀ ଡଲି ‘କମ୍ପ୍ରମାଇଜ୍‌’ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ତାଙ୍କୁ ବହୁ ବଡ଼ ବଡ଼ ଫିଲ୍ମରେ ସୁଯୋଗ ମିଳିପାରି ନଥିଲା ବୋଲି ସେ କହିଛନ୍ତି। ଏହି କାରଣ ପାଇଁ ୧୯୮୬ରେ ସନ୍ନି ଦେଓଲ ଅଭିନୀତ ‘ସମୁନ୍ଦର’ ଚଳଚ୍ଚିତ୍ର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ନିର୍ଦ୍ଦେଶକ ରାହୁଲ ରାଓ୍ଵାଇଲ୍‌ ତାଙ୍କ ସ୍ଥାନରେ ଉକ୍ତ ଚଳଚ୍ଚିିତ୍ରରେ ରୋସ୍‌ନୀ ନାମ୍ନୀ ଜଣେ ସଂପୂର୍ଣ୍ଣ ନବାଗତାଙ୍କୁ ନେଇଥିଲେ ଯାହାଙ୍କର ଅଭିନୟ ସଂପର୍କରେ କୌଣସି ଦକ୍ଷତା ନଥିଲା। ଏହି ଘଟଣାରୁ ମୋର ହୃଦବୋଧ ହୋଇଥିଲା ଚଳଚ୍ଚିତ୍ରରେ ସ୍ଥାନ ପାଇବାକୁ ହେଲେ ‘କମ୍ପ୍ରମାଇଜ୍‌’ ଜରୁରୀ। ଯଦି ତୁମେ ବଲିଉଡ୍‌ରେ ‘କମ୍ପ୍ରମାଇଜ୍‌’ କରିପାରିଲ ତେବେ ତୁମେ ରାତାରାତି ସଫଳତା ପାଇଯିବ, ବୋଲି କହିଛନ୍ତି ଅଭିନେତ୍ରୀ ଡଲି।

ସେହିପରି ଆଉ ଏକ ଘଟଣାର ସ୍ମୃତିଚାରଣ କରି ଅଭିନେତ୍ରୀ ଡଲି କହିଛନ୍ତି, ‘ଏକ ଗାଓଁ କି କାହାନୀ’, ‘ଚାନ୍ଦ ଔର ସୂରଯ’, ‘ମେରା ହମ୍‌ସଫର୍‌’, ‘ଦୁଷମନ୍‌’ ପ୍ରଭୃତି ଏକାଧିକ ହିଟ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦୁଲାଲ୍‌ ଗୁହା ତାଙ୍କ ଚଳଚ୍ଚିତ୍ରରେ ମୋତେ କାମ ଦେବା ଇଚ୍ଛୁକ ଥିଲେ। ତେବେ, ଚଳଚ୍ଚିତ୍ର ସଂପର୍କରେ ଆଲୋଚନା ପାଇଁ ସେ ମୋତେ ସବୁବେଳେ ବିଳମ୍ବିତ ରାତିରେ ଏକୁଟିଆ ଭିନ୍ନ ଭିନ୍ନ ଜାଗାକୁ ଡାକୁଥିଲେ। ତେବେ, ତାଙ୍କର ଏ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖାନ କରିବା ପରେ ସେ ମୋତେ ଆଉ ସୁଯୋଗ ଦେଇ ନଥିଲେ।

ସେହିପରି ‘ବଲିଉଡ୍‌ର ସୋ ମ୍ୟାନ୍‌’ ରୂପେ ପରିଚିତ ସୁବାଷ ଘାଇଙ୍କ ସଂପର୍କରେ ଅଭିନେତ୍ରୀ ଡଲି ଜେନା କହିଛନ୍ତି ଯେ ମାଧୁରୀ ଦୀକ୍ଷିତଙ୍କ ଠାରୁ ଆରମ୍ଭ କରି ମହିମା ଚୌଧୁରୀଙ୍କ ପର୍ଯ୍ୟନ୍ତ ବହୁ ଅଭିନେତ୍ରୀଙ୍କୁ ପ୍ରସିଦ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁବାଷ ଘାଇ ତାଙ୍କୁ ମଧ୍ୟ ତାଙ୍କ ଚଳଚ୍ଚିତ୍ରରେ ନେବାକୁ ପ୍ରସ୍ତାବ ଦେଇଥିଲେ। ତେବେ, ଏଥିପାଇଁ ସେ ମୋତେ କିଛି ‘ଅଶ୍ୱସ୍ତିକର’ ପ୍ରସ୍ତାବ ଦେଇଥିଲେ। ମୋତେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ଡାକିଥିଲେ; ମାତ୍ର ମୁଁ ତାଙ୍କର ପ୍ରସ୍ତାବ ସବୁକୁ ଅଗ୍ରାହ୍ୟ କରିଦେବା ପରେ ସେ ମୋତେ ଚିହ୍ନି ନଥିବା ପରି ଆଚରଣ ପ୍ରଦର୍ଶନ କରିଥିଲେ। ଏବେ # ମି ଠୁ ଅଭିଯାନରେ ଅଭିନେତ୍ରୀ ଡଲି ଜେନାଙ୍କ ଏହି ସ୍ୱାକାରୋକ୍ତି ପରେ ଓଲିଉଡ୍‌ରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚା ଓ ଆଲୋଡନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର