୨୦୧୯: ସୁପ୍ରିମକୋର୍ଟରେ ଚର୍ଚ୍ଚିତ ଓଡ଼ିଶା ପ୍ରସଙ୍ଗ

ନୂଆଦିଲ୍ଲୀ, (ନଇମ ଅଖତାର): ୨୦୧୯ରେ ଓଡ଼ିଶାର ଏକାଧିକ ପ୍ରସଙ୍ଗ ସୁପ୍ରିମକୋର୍ଟରେ ସ୍ଥାନ ପାଇଥିଲା। ସେଥିମଧ୍ୟରୁ ଶ୍ରୀମନ୍ଦିର ସଂସ୍କାର ମାମଲା, ଓଡ଼ିଶାରେ ଆଇନଜୀବୀମାନଙ୍କର ଆନ୍ଦୋଳନ ଓ କୋର୍ଟ ବର୍ଜନ, ଖଣି ଦୁର୍ନୀତି ମାମଲା, ଚିଟ୍‌ଫଣ୍ଡ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟ ଶୁଣାଣି କରିଥିଲେ। ଐତିହାସିକ ରାମ ଜନ୍ମଭୂମି ଓ ବାବରି ମସଜିଦ୍ ପ୍ରସଙ୍ଗରେ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ୧୦୪୫ ପୃଷ୍ଠାର ରାୟରେ ଓଡ଼ିଶାର ତିନୋଟି ମାମଲାକୁ ଉଦାହରଣ ଭାବେ ସୁପ୍ରିମକୋର୍ଟ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା।

୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାରେ ଏକାଧିକ ନିର୍ଦ୍ଦେଶନାମା ଜାରି କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ଏବଂ କୌଣସି ଭକ୍ତ ଯେଭଳି ନିରାଶ ନହେବେ ସେନେଇ ଗୁରୁତ୍ବାରୋପ କରିଥିଲେ। ଆମିକସ କ୍ୟୁରି, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତଥା ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦ୍ବାରା ଅଲଗା ଅଲଗା ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନ ଓ କୋର୍ଟ ବର୍ଜନକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଓଡ଼ିଶା ହାଇକୋର୍ଟର ଆଇନଜୀବୀମାନଙ୍କର ଆନ୍ଦୋଳନ ତଥା କାର୍ଯ୍ୟ ବନ୍ଦ ଜାରି ରହିବାରୁ ସୁପ୍ରିମକୋର୍ଟ ଅତ୍ୟନ୍ତ କଠୋର ହୋଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଅଧ୍ୟକ୍ଷ, ଓଡ଼ିଶା ବାର୍ କାଉନ୍‌ସିଲର ଅଧ୍ୟକ୍ଷ ଓ ବାର୍ କାଉନ୍‌ସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୯ରେ ସୁପ୍ରିମକୋର୍ଟଙ୍କ କଲେଜିୟମ ହାଇକୋର୍ଟର ବିଚାରପତି ନିଯୁକ୍ତିକୁ ନେଇ ହାଇକୋର୍ଟର କଲେଜିୟମ ଦ୍ବାରା କରାଯାଇଥିବା ସୁପାରିସର ମଧ୍ୟ ଅନୁଧ୍ୟାନ କରିଥିଲେ। ଆଇନଜୀବୀ କାଳୀପ୍ରସନ୍ନ ମିଶ୍ରଙ୍କ ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ଅଗ୍ରାହ୍ୟ କରିଦେଇଥିଲେ।

୨୦୧୯ରେ ସୁପ୍ରିମକୋର୍ଟ ଓଡ଼ିଶାର ଖଣି ଦୁର୍ନୀତି ସମ୍ପର୍କିତ କମନକଜ୍ ବନାମ କେନ୍ଦ୍ର ସରକାର ମାମଲାର ୨୫ଟି ଶୁଣାଣି କରିଥିଲେ। ରୁଲ୍ ୩୭ର ଉଲ୍ଲଂଘନ ନେଇ କମିଟି ଦ୍ବାରା ୪ ଜଣ ଲିଜଧାରୀ କେ. ଜେ ଏସ୍ ଆହ୍ଲୁଵାଲିଆ, ଇନ୍ଦ୍ରାଣୀ ପଟ୍ଟନାୟକ, ମେସର୍ସ ସିରାଜୁଦ୍ଦିନ ଆଣ୍ଡ କମ୍ପାନି, ଆର ପି ସାଓଙ୍କୁ ମଧ୍ୟ କମିଟି ଦୋଷମୁକ୍ତ କରିଥିଲା।
ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଚଳିତବର୍ଷ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଚିଟ୍‌ଫଣ୍ଡ ଦୂର୍ନୀତି ମାମଲାରେ ଟାଵାର ଇନଫୋଟେକ୍ ଲିମିଟେଡ୍ କମ୍ପାନିର ଅଭିଯୁକ୍ତ ଥିବା କମ୍ପାନିର ସିଏମ୍‌ଡି ରମେନ୍ଦୁ ଚଟୋପାଧ୍ୟାୟ ଓ ନିର୍ଦ୍ଦେଶକ ଆଶିଷ ଚାଟାର୍ଜୀଙ୍କୁ ଓଡ଼ିଶା ହାଇକୋର୍ଟ ଦ୍ବାରା ୨୦୧୭ରେ ପ୍ରଦାନ କରାଯାଇଥିବା ଜାମିନକୁ ସୁପ୍ରିମକୋର୍ଟ ବାତିଲ କରିଦେଇଥିଲେ।

ମାଳି ନିଯୁକ୍ତି ମାମଲାରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଓ ହାଇକୋର୍ଟର ଆଦେଶକୁ, ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପରେ ଏନଏମଆର କର୍ମଚାରୀଙ୍କ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଥିଲେ।

ସୁପ୍ରିକୋର୍ଟଙ୍କ ଦ୍ବାରା ରାଜ୍ୟ ହାଉସିଂ ବୋର୍ଡ ତଥା ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆମ୍ରପାଲି ଦ୍ବାରା ହାଉସିଂ ସୋସାଇଟିର ବିକାଶ ପାଇଁ ଦିଆଯାଇଥିବା ୩୪ କୋଟି ଟଙ୍କାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ ଅବମାନନା ମାମଲାରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏମ୍‌. ନାଗେଶ୍ବର ରାଓଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରି କୋର୍ଟ ରୁମର ଏକ କୋଣରେ ବସିବାକୁ ନିର୍ଦ୍ଦେଶ ଦେବା ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର