ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ପରେ ଆଇସିୟୁରୁ ଜେନେରାଲ୍ ଓ୍ଵାର୍ଡକୁ ଆସିଥିବା ଜଗାକୁ ଆଜି ମହୁରେ ବ୍ରସ୍ କରାଯିବାପରେ ତାକୁ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ଦିଆଯାଇଛି। ଡାଏଟିସିଆନ୍ଙ୍କ ପରାମର୍ଶ କ୍ରମେ ଜଗାକୁ ପ୍ରଥମେ ତରଳ ଖାଦ୍ୟ ଦିଆଯିବାପରେ ଆଜି ତାକୁ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥିଲେ। ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ଅନୁସାରେ ତା’ର ଡାଏଟ୍ ମେନୁକୁ ପରିବର୍ତ୍ତନ କରାଯାଉଥିବା କୁହାଯାଇଛି। ତାକୁ ସୁପ୍ ମଧ୍ୟ ଦିଆଯାଉଛି। ତାହା ପୁଣି ପ୍ରତ୍ୟେକ ଦିନ ଅଲଗା ଅଲଗା।
ଅନ୍ୟପକ୍ଷରେ ଜଗା ପାଇଁ ଜେନେରାଲ ଓ୍ଵାର୍ଡରେ ମ୍ୟୁଜିକ୍ ଥେରାପି ଖୁବ୍ ଫଳପ୍ରଦ ହୋଇଛି। ଗୀତ ଶୁଣିବାକୁ ଭଲପାଉଥିବା ଜଗା ଆଜି ମୋବାଇଲ ଫୋନ୍ରେ ଗୀତ ଶୁଣିବା ସହ ନାଚ ଦେଖି ଖୁବ୍ ଖୁସି ହୋଇଛିି। ଜଗାର ବାପା ମା’ ନିୟମିତ ବ୍ୟବଧାନରେ ଜଗା ପାଖରେ ରହି ତା’ର ପ୍ରତିକ୍ରିୟା ଦେଖୁଛନ୍ତି। ଜଗା ବାପା ମା’ଙ୍କ ଠାରକୁ
ବୁଝିପାରୁୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଜଗା ପାଟି ଫିଟାଇ କଥା କହୁନାହିଁ। ଖାଲି ମିଟିମିଟି କରି ଅନଉଛି ଆଉ ହସି ଦେଉଛି।
ଏମ୍ସର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ଜଗା ବଳିଆଙ୍କ କଥା କହିବା ପ୍ରକ୍ରିୟାରେ ବିଶେଷ ଭାବେ ଅଗ୍ରଗତି ହୋଇପାରିନାହିଁ। ତେବେ ବୟସ ଅନୁପାତରେ ସେମାନଙ୍କ ବାକ୍ ଶକ୍ତିରେ ବିକାଶ ହେବ। ଅପରପକ୍ଷେ ନ୍ୟୁରୋ ଆଇସିୟୁରେ ଚିକିତ୍ସିତ ହେଉଥିବା ବଳିଆ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି। ବଳିଆକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବା ବେଳେ ଡାକ୍ତରୀଦଳ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିିଛନ୍ତି। ବଳିଆର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାପରେ ଆଗକୁ ତୃତୀୟ ପର୍ଯ୍ୟାୟ ଅପରେସନ ପାଇଁ ଡାକ୍ତରୀଦଳ ଯୋଜନା କରିପାରନ୍ତି। ତେବେ ବଳିଆ ଆଇସିୟୁର ନ୍ୟୁରୋ ସର୍ଜରିରେ ଚିକିତ୍ସିତ ଅବସ୍ଥାରେ ବେଳେବେଳେ ଶରୀର ହଲ୍ଚଲ୍ କରୁଥିବାରୁ ଡାକ୍ତରୀଦଳ ତା’ର ସ୍ୱାସ୍ଥ୍ୟ ସୁଧୁରିବା ନେଇ ବେଶ୍ ଆଶାବାଦୀ ଅଛନ୍ତି।