ଓଡ଼ିଶା, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ଗ୍ରୀଷ୍ମ ଲହରି

ନୂଆଦିଲ୍ଲୀ: ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରଭାରତର ଅନେକ ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି। ଆସନ୍ତା ପାଞ୍ଚଦିନ ଯାଏ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମଲହରି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁସାରେ ପୂର୍ବ ରାଜସ୍ଥାନ, ଦକ୍ଷିଣ ହରିୟାଣା, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ ପାରଦ ୪୦ ଡିଗ୍ରି ସେଲ୍‌ସିୟସ୍-ମାର୍କ ଛୁଇଁଲାଣି। ସୋମବାର ଦିଲ୍ଲୀରେ ତାପମାତ୍ରା ୩୯.୧ ଡିଗ୍ରି ଥିଲା। ଜାତୀୟ ରାଜଧାନୀର ବାୟୁମାନ ମଙ୍ଗଳବାର ସକାଳେ ଖରାପ ସ୍ତରରେ ଥିଲା। ଝାଡ଼ଖଣ୍ଡର ଅନ୍ତତଃ ୧୦ଟି ଜିଲ୍ଲାରେ ବୁଧବାରଠାରୁ ତିନି ଦିନ ଯାଏ ଗ୍ରୀଷ୍ମ ଲହରି ଜାରି ରହିବ। ଦିଲ୍ଲୀର କେତେକ ଅଞ୍ଚଳ, ଉତ୍ତର ରାଜସ୍ଥାନ ଓ ଦକ୍ଷିଣ ହରିୟାଣାର ସମତଳ ଅଞ୍ଚଳରେ ପବନର ବେଗ କମିବା ସହ ଉତ୍ତାପ ବଢ଼ିବ। ଆସନ୍ତା ୮/୧୦ ଦିନ ଭିତରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ। ଉତ୍ତରପ୍ରଦେଶର ଦକ୍ଷିଣାଞ୍ଚଳ, ବିଦର୍ଭ ଏବଂ ମହାରାଷ୍ଟ୍ରର ମରାଠାୱାଡ଼ା ଏବଂ ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ ଗ୍ରୀଷ୍ମଲହରି ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେତେକ ରାଜ୍ୟରେ ୧୦ମ ଓ ଦ୍ବାଦଶ ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଗ୍ରୀଷ୍ମ ଲହରରୁ ସୁରକ୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁ, ବୃଦ୍ଧ ଓ କ୍ରନିକ ରୋଗ ଥିବା ବ୍ୟକ୍ତି ସାବଧାନ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର