ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବ୍ୟବସ୍ଥାରେ ଓଡ଼ିଶାର ଗରିବ ଚାଷୀମାନେ ଲାଭବାନ ହେବେନାହିଁ। ଏହି ବ୍ୟବସ୍ଥା ଦ୍ବାରା କେବଳ ପଞ୍ଜାବ ଓ ହରିଆଣା ଭଳି ରାଜ୍ୟର ଚାଷୀ ଲାଭବାନ ହେବେ ବୋଲି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା କହିଛନ୍ତି। ଇଂରାଜି ସମ୍ବାଦପତ୍ର ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ନିବନ୍ଧ ଲେଖି ସେ ଜଣାଇଛନ୍ତି ଯେ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଯେଉଁ ଧାନ ଏବଂ ଗହମ ସରକାର ସଂଗ୍ରହ କରୁଛନ୍ତି ତାହା ଟିକସଦାତାଙ୍କ ସହାୟତାରେ ହେଉଛି। ଏଥିଯୋଗୁ ପଂଜାବ ଓ ହରିୟାଣାର ଚାଷୀମାନେ ଭଲ ଆୟ ପାଇ ପାରୁଛନ୍ତି। କିନ୍ତୁ ଓଡ଼ିଶା ଏବଂ ବିହାର ଭଳି ଗରିବ ରାଜ୍ୟ, ଯେଉଁଠି ଏମ୍ଏସ୍ପିରେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ସଂଗ୍ରହ କରାଯାଉ ନାହିଁ ସେଠାରେ କ'ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏକ ସୂଚନା ଅନୁଯାୟୀ ଦେଶର ମାତ୍ର ୧୨% ଚାଷୀଙ୍କୁ ୨୦୧୮-୧୯ରେ ଏମ୍ଏସ୍ପି ସାହାଯ୍ୟ କରିଥିଲା। ସରକାର ବା ଏଫ୍ସିଆଇ ପଞ୍ଜାବ ଓ ହରିୟାଣାରେ ଉତ୍ପାଦନ ହେଉଥିବା ଚାଉଳର ୯୦% ଏମ୍ଏସ୍ପିରେ ସଂଗ୍ରହ କରନ୍ତି। ଅଧିକ ଧାନ ଉତ୍ପାଦନ କରୁଥିବା ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଉତ୍ପାଦିତ ଧାନର ମାତ୍ର ପ୍ରାୟ ୨୦% ସରକାର ସଂଗ୍ରହ କରନ୍ତି। ପଂଜାବରେ ୯୫% ଚାଷୀ ଏମ୍ଏସ୍ପିରେ ଧାନ ବିକନ୍ତି, ହରିୟାଣାରେ ୭୦% ଓ ଓଡ଼ିଶାରେ ୨୦.୬% ଚାଷୀ ଏମ୍ଏସ୍ପିର ଲାଭ ନିଅନ୍ତି। ଓଡ଼ିଶା ୨୦୨୦-୨୧ରେ ଖରିଫ ଓ ରବି ଋତୁରେ ମୋଟ ୭୧ ଲକ୍ଷ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛି। ସାଧାରଣ ଧାନ ପାଇଁ କ୍ବିଣ୍ଟାଲ ପିଛା ଏମ୍ଏସ୍ପି ୧୮୬୮ ଟଙ୍କା ରହିଛି।
ଗ୍ରେଡ-ଏ ଧାନ ପାଇଁ ୧୮୮୮ ଟଙ୍କା। ଏଫ୍ସିଆଇ ହିସାବରେ ରାଜ୍ୟର ମୁଖ୍ୟ ଧାନ ଉତ୍ପାଦନକାରୀ ଜିଲ୍ଲା ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ ଓ ଗଂଜାମ। ୩୦ ଜିଲ୍ଲାରୁ ୧୪ଟି ଜିଲ୍ଲା ବଳକା ଧାନ ଉତ୍ପାଦନ କରନ୍ତି। ସେଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଂଜାମ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ ଓ ନୟାଗଡ଼।