ନୂଆଦିଲ୍ଲୀ: ଭାରତର ଜାତୀୟ ରାଜଧାନୀରେ ଓଡ଼ିଶାର ଅସ୍ମିତା, ଗାଥା, ସୌନ୍ଦର୍ଯ୍ୟ, ମହକ, କୃତିତ୍ବ, ପ୍ରାଚୁର୍ଯ୍ୟ, କଳା, ସଂସ୍କୃତି ପରମ୍ପରାକୁ ପ୍ରଦର୍ଶନ କରାଯିବା ଗୌରବର କଥା। ଏହା ଦ୍ବାରା ଓଡ଼ିଶାର ଗୌରବମୟ ପରମ୍ପରା ଦେଶବିଦେଶରେ ଉପସ୍ଥାପିତ ହୋଇଛି। ଆଜି ସଂଧ୍ୟାରେ ଓଡ଼ିଶା ପର୍ବ-୨୦୨୪କୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି କହିଲେ, ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା। ଓଡ଼ିଶାର ଲୋକମାନେ ପୃଥିବୀ ତଥା ଭାରତର ଯେଉଁ ସ୍ଥାନରେ ରହନ୍ତି, ସେମାନେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ସ୍ଥାନୀୟ ଜନଜବୀନ ସହିତ ନିଜକୁ ମିଶାଇ ଦେଇଥାନ୍ତି। ଓଡ଼ିଶା ସହ ଦିଲ୍ଲୀବାସୀଙ୍କୁ ପରିଚିତ କରିବାରେ ଏହି ଉତ୍ସବର ବିଶେଷ ଭୂମିକା ରହିଛି। ଭାରତର ଇତିହାସ ଓ ଭୂଗୋଳରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ତଥା ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଓଡ଼ିଶାରେ ପଥର ବି କଥା କହେ। କେବଳ ଓଡିଆମାନଙ୍କ ପାଇଁ ଓଡ଼ିଶାର କୀର୍ତ୍ତି ଓ ପର୍ବପର୍ବାଣୀ ଆଜି ବିଶ୍ବରେ ଖ୍ୟାତ ହୋଇଛି। ଶାନ୍ତି ବିନା ପୃଥିବୀରେ ପ୍ରଗତି ଅସମ୍ଭବ- କଳିଙ୍ଗ ଯୁଦ୍ଧ ଏହି ଶିକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଥିଲେ।
ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ସାଧବପୁଅମାନେ ନୌବାଣିଜ୍ୟ ପାଇଁ ଜାଭା, ସୁମତ୍ରା, ବାଲି, ଇଣ୍ଡୋନେସିଆ, ପ୍ରଭୃତି ଦେଶକୁ ଯାଉଥିଲେ। ସେମାନେ ଯେଉଁଠିକି ଯାଇଥିଲେ ସେଠାରେ ଓଡ଼ିଶା ଅସ୍ମିତା ଦେଖିବାକୁ ମିଳୁଛି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ତାଙ୍କୁ କେନ୍ଦ୍ର କରି ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ପରମ୍ପରା ବିକଶିତ କରାଯାଉଛି। ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କିନ୍ତୁ ଦୁଃଖର କଥା ପୂର୍ବ ସରକାରଙ୍କ ସମୟରେ ଜଗନ୍ନାଥଙ୍କ ନାମକୁ ବ୍ୟବସାୟୀକରଣ କରି ଭୋଟ ପାଇଁ ବ୍ୟବହାର କରାଗଲା। ନିକଟ ଅତୀତରେ ଜନସାଧାରଣ ଏହାର ଜବାବ ଦେଇସାରିଛନ୍ତି ବୋଲି ସେ କହିଥିଲେ।
ଓଡ଼ିଶା ପର୍ବ-୨୦୨୪ ଉଦ୍ଘାଟିତ
ପୂର୍ବ ସରକାର ଜଗନ୍ନାଥଙ୍କ ନାମକୁ ବ୍ୟବସାୟୀକରଣ କଲେ: ମୋହନ
ଓଡ଼ିଆଙ୍କ ଆଧିପତ୍ୟ ବଢ଼ୁଛି: ଧର୍ମେନ୍ଦ୍ର
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସମ୍ବୋଧନରେ କହିଲେ, ବିଶ୍ବ ସ୍ତରରେ ଓଡ଼ିଆମାନେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରୁଛନ୍ତି। ଓଡ଼ିଆଙ୍କ ଆଧିପତ୍ୟ ବୃଦ୍ଧି ପାଉଛି, ଯାହା ଦ୍ବାରା ଓଡ଼ିଆତ୍ବ ଧୀରେ ଧୀରେ ଜାଗ୍ରତ ହେଉଛି। ଓଡ଼ିଆ କଳା ଓ ସଂସ୍କୃତିର ପ୍ରଚାର, ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ। ଏହି କାର୍ଯ୍ୟକ୍ରମ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ବତନ୍ତ୍ର ପରିଚୟକୁ ବିଶ୍ବବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବ। ଓଡ଼ିଶାର ପରିଚୟକୁ ଆଗେଇ ନେବାରେ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ କହିଲେ, ଓଡ଼ିଶା ପର୍ବ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆମେ ନିଜର ଅସ୍ମିତା ପରିଚୟ ଓ ସ୍ବାଭିମାନକୁ ଜାହିର କରିବା। ଓଡ଼ିଆ ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ଓଡ଼ିଶା ପର୍ବ-୨୦୨୪ ଆୟୋଜନ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ସୂଚନାଯୋଗ୍ୟ ଯେ ୨୦୧୭ରୁ ଓଡ଼ିଆ ସମାଜ ପକ୍ଷରୁ ଆରମ୍ଭ କରାଯାଇଥିବା ଓଡ଼ିଶା ପର୍ବ କାର୍ଯ୍ୟକ୍ରମ ଏଥର ସପ୍ତମ ବର୍ଷରେ ପଦାର୍ପଣ କରିଛି। ସ୍ଥାନୀୟ ଜବାହରଲାଲ ନେହରୁ ଷ୍ଟାଡିୟମ୍ର ଗେଟ୍ ନମ୍ବର ୧୪ରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ କରାଯିବା ସହିତ ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପର ଉପସ୍ଥାପନା ଚଳିତ ବର୍ଷର ଓଡ଼ିଶା ପର୍ବକୁ ଆକର୍ଷଣୀୟ କରିଛି ।
ଓଡିଶା ପର୍ବ-୨୦୨୪ରେ ବିବିଧ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ସହ ନ୍ୟାସନାଲ ବୁକ୍ ଟ୍ରଷ୍ଟ ସହଯୋଗରେ ଏକ ବୁକ୍ ଲାଉଞ୍ଜ୍ - କମ୍- ପ୍ରଦର୍ଶନୀ, ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍, ୨୫ଟି ହସ୍ତତନ୍ତ୍ର ଓ କଳା ଉତ୍ପାଦ ଷ୍ଟଲ ଏବଂ ଓଡ଼ିଶା କନକ୍ଲେଭ୍ର ଆୟୋଜନ କରାଯାଇଛି। ପର୍ବକୁ ଭବ୍ୟ ରୂପେ ପାଳନ କରିବା ପାଇଁ ଓଡିଶାର ପାରମ୍ପରିକ, ସମସାମୟିକ ତଥା ଆଦିବାସୀ ନୃତ୍ୟ ପରିବେଷଣ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନର କଳାକାରମାନେ ଓଡ଼ିଶା ପର୍ବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଓଡିଶା ପର୍ବ-୨୦୨୪ର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜନୈତକ ବ୍ୟକ୍ତିବିଶେଷ ଯୋଗଦେବେ।