ଫନି ବାତ୍ୟା ସହାୟତା : ଗୃହ ମନ୍ତ୍ରାଳୟ ଅତିରିକ୍ତ ସଚିବଙ୍କୁ ଭେଟିଲେ ଓଡ଼ିଶା ଫୋରମ୍‌ର ପ୍ରତିନିଧି ମଣ୍ଡଳ

ନୂଆଦିଲ୍ଲୀ : ଫନି ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ ସହାୟତା ଦେବାପାଇଁ ଆଜି ଓଡ଼ିଶା ଫୋରମ୍‌ର ପ୍ରତିନିଧି ମଣ୍ଡଳ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳର ପ୍ରମୁଖ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି।। ଫୋରମ୍‌ର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋକୁଳ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଭରଦ୍ବାଜଙ୍କୁ ସାକ୍ଷାତ କରିଥିଲେ। ଫନି ବାତ୍ୟା ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକ ଅତ୍ୟଧିକ ବାତ୍ୟା ପ୍ରବଣ ଥିବା ଯୋଗୁଁ ସେଠାରେ ପକ୍କା ଘର ନିର୍ମାଣ କରିବା ପାଇଁ ୫୦୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଫନି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଦିଲ୍ଲୀ ଫେରିଛନ୍ତି ଏବଂ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କୁ ସେମାନେ କ୍ଷୟକ୍ଷତି ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିବେ । ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ପାଢ଼ୀ, ସିଦ୍ଧାର୍ଥ ପ୍ରଧାନ, ରବି ପାଣି, ଅଶୋକ ପଣ୍ଡା, ଚାରୁଦତ୍ତ ପାଣିଗ୍ରାହୀ, ରଶ୍ମୀ ରଞ୍ଜନ ପରିଡ଼ା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର