ଶସ୍ୟ ଦାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକୃତି ତିଆରି କଲେ ଓଡ଼ିଆ ବାଳିକା ପ୍ରିୟଙ୍କା
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ବରରେ ରହୁଥିବା ପ୍ରିୟଙ୍କା ସାହାଣୀ ନାମ୍ନୀ ଜଣେ ବାଳିକା ୮ ଫୁଟ୍ ଉଚ୍ଚ ଏବଂ ୪ ଫୁଟ୍ ଓସାରର ଗୋଟାଏ ପ୍ଲାଇ ବୋର୍ଡରେ ଶସ୍ୟ ଦାନା ଲଗାଇ ତାଙ୍କର (ମୋଦୀ) ପ୍ରତିକୃତି ତିଆରି କରିଛନ୍ତି।
ମୋଦୀଙ୍କର ଅନ୍ୟତମ ପ୍ରଶଂସିକା ସାହାଣୀ କହିଛନ୍ତି ଯେ, ଏ ପ୍ରତିକୃତି ହେଉଛି ବିଶ୍ବର ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଉପହାର। ଭାରତକୁ ବିଶ୍ବର ଶକ୍ତିଶାଳୀ ଦେଶରେ ପରିଣତ କରାଇବା ପାଇଁ ତାଙ୍କ ଜନ୍ମଦିନ ଅବସରରେ ମୁଁ ଅନୁରୋଧ କରୁଛି।
‘ମିନିଏଚର୍ ପେଣ୍ଟିଙ୍ଗ୍’ କରୁଥିବା ପ୍ରିୟଙ୍କା ଚାଉଳ, ମୁଗ ଓ ହରଡ଼ ଜାଇ ଏବଂ ଚୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଆକର୍ଷଣୀୟ ପ୍ରତିକୃତି ତିଆରି କରିଛନ୍ତି। ଏଥିରେ ସେ ଓଡ଼ିଶାର ପ୍ରସିଦ୍ଧ କଳାକୃତି ‘ପଟ୍ଟଚିତ୍ର’ ଏବଂ କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ଚକ୍ରର ଚିତ୍ର ମଧ୍ୟ କରିଛନ୍ତି।

ଗଣମାଧ୍ୟମ ସହ ଆଳାପ ସମୟରେ ପ୍ରିୟଙ୍କା କହିଛନ୍ତି, ‘ପ୍ଲାଇ’ ବୋର୍ଡ ଉପରେ ତିଆରି ଏହି ପ୍ରତିକୃତିରେ ମୋଦୀଙ୍କ ବକ୍ଷରେ ଭାରତର ମାନଚିତ୍ର କରାଯାଇଛି। ଏହାର ଅର୍ଥ ହେଉଛି, ମୋଦୀ ହେଉଛନ୍ତି ସମଗ୍ର ଭାରତବାସୀଙ୍କ ନେତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାଙ୍କ ହୃଦୟ ସ୍ପନ୍ଦିତ ହେଉଛି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଆମେ ଶସ୍ୟକୁ ପୂଜା କରୁ। ତେଣୁ, ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ତିଆରି ପାଇଁ ମୁଁ ଶସ୍ୟଦାନାକୁ ହିଁ ବାଛିଲି। ଏଥିପାଇଁ ମତେ ଦୁଇ ଦିନ ସମୟ ଲାଗିଛି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅବିଚ୍ଛେଦ୍ୟ ଅଂଶ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଛନ୍ତି। ସଂଖ୍ୟାଲଘୁ ମହିଳାମାନଙ୍କୁ ‘ତିନ୍ ତଲାକ୍’ରୁ ମୁକ୍ତ କରିଛନ୍ତି। ଏସବୁ ପଦକ୍ଷେପ ତାଙ୍କର ଉତ୍କର୍ଷତାର ଜୀବନ୍ତ ଉଦାହରଣ ଅଟେ।