ଓଡ଼ିଶା ସରକାର ବିଧାନ ପରିଷଦ ପ୍ରସ୍ତାବ ଦେଇନାହାନ୍ତି: କେନ୍ଦ୍ର

କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଆଲୋଡ଼ନ, ୨୦୧୮ରେ ଅନୁମୋଦନ ଦେଇଥିଲା ବିଧାନସଭା

ନୂଆଦିଲ୍ଲୀ : ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି।

ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର‌ରେ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜଜୁ। କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରାଳୟରୁ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାର ଏ ଯାବତ କୌଣସି ପ୍ରସ୍ତ‌ାବ ପଠାଇନାହାନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାର ଏହା କେନ୍ଦ୍ରକୁ ପଠାଯାଇଥିବା କହିଥିଲେ। କେବଳ ସେତିକି ନୁହେଁ, ସଂସଦର ବିଭିନ୍ନ ଅଧିବେଶନ ପୂର୍ବରୁ ସରକାରଙ୍କ ସାମ୍ନାରେ ବିଜେଡି ଅନେକବାର ଦାବି ଉଠାଇଛି। ବିଧାନ ପରିଷଦ ବିଲ୍ ଆଣିବା ଲାଗି ବିଜେଡି ସାଂସଦମାନେ ବାରମ୍ବାର କହିଛନ୍ତି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ଆଚମ୍ବିତ କରିଛି। କିଏ ଠିକ୍ କହୁଛି, ତାହାକୁ ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଗଲାଣି।

Odisha Bytes

ପ୍ରସନ୍ନ ଆଚାର୍ଯ୍ୟ ଓଡିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଠାରୁ ତିନିଟି ପ୍ରଶ୍ନ ଜରିଆରେ ସୂଚନା ଲୋଡ଼ିଥିଲେ। ଭାରତର କେଉଁ କେଉଁ ରାଜ୍ୟରେ ବିଧାନ ପରିଷଦ ଅଛି? କେଉଁ କେଉଁ ରାଜ୍ୟ ବିଧାନସଭାଗୁଡିକ ସେମାନଙ୍କର ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସର୍ବସମ୍ମତ ପ୍ରସ୍ତାବନା ଗୃହୀତ କରିଛନ୍ତି? ପରିଷଦ ଗଠନ ପାଇଁ ଓଡିଶା ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରିଛି କି? ଅଥବା ସମ୍ବିଧାନର ଧାରା ୧୬୯ ଅନୁସାରେ, ବିଧାନପରିଷଦ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ କି ? ଯଦି କରିବେ, କେବେ କରିବେ? ଯଦି କରିବେ ନାହିଁ, ନ କରିବାର କାରଣ କ’ଣ?

ଏହାର ଉତ୍ତର ରଖି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କହିଛନ୍ତି, ସଂପ୍ରତି ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଭଳି ୬ଟି ରାଜ୍ୟରେ ବିଧାନପରିଷଦ ରହିଛି। ସେହିପରି ଆସାମ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ବିଧାନ ପରିଷଦ ଗଠନ ନିମନ୍ତେ ପ୍ରସ୍ତାବ ଗୃହୀତ କରିଛନ୍ତି। ମାତ୍ର ଓଡିଶା ସରକାର କୌଣସି ପ୍ରସ୍ତାବନା ପଠାଇ ନାହାନ୍ତି। ତେବେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବିଧାନପରିଷଦ ଗଠନ ସଂପର୍କିତ ସଂକଳ୍ପ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ଓଡିଶା ବିଧାନସଭାରେ ଅନୁମୋଦନ ଲାଭ କରିଥିଲା। ସମ୍ବିଧାନର ଅନୁଚ୍ଛେଦ ୧୬୯(୧)ର ବ୍ୟବସ୍ଥା ଅନୁସାରେ ସଂସଦର ଅନୁମୋଦନ ପାଇଁ ପ୍ରସ୍ତାବନାକୁ କେନ୍ଦ୍ର ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ ପାରିତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡିଶା ବିଧାନସଭାରେ ସଂକଳ୍ପ ଗୃହୀତ ହେବାପର ଠାରୁ ଏହାକୁ ନେଇ ଅନୌପଚାରିକ ଭାବେ ଆଲୋଚନା ହୋଇଥିଲା। ବିଜେଡି ପକ୍ଷରୁ ୧୭ ନଭେମ୍ବର ୨୦୧୯ରେ ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଓଡିଶା ବିଧାନ ପରିଷଦ ସଂକ୍ରାନ୍ତ ବିଲ ସର୍ବସମ୍ମତିକ୍ରମେ ଆଣିବା ପାଇଁ ବିଧିବଦ୍ଧଭାବେ ଦାବି ଉପସ୍ଥାପନ କରାଯାଇଥିଲା। ଏହା ପରଠାରୁ ଦଳ ପକ୍ଷରୁ ବିଭିନ୍ନ ଅଧିବେଶନ ସମୟରେ ଏହି ଦାବି ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ହେଲେ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀଙ୍କ ଦ୍ବାରା ଓଡିଶା ବିଧାନପରିଷଦ ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ ମିଳିନଥିବା ସଂପର୍କରେ ସୂଚନା ପରେ ଓଡିଶା ବିଧାନ ପରିଷଦ ଗଠନର ଭାଗ୍ୟକୁ ନେଇ ବଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର