ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପାଇଁ ଓଡ଼ିଶା ସରକାର ଦେବେ ୪୯୫ ଏକର ଜମି

ନୂଆଦିଲ୍ଲୀ : ଖୋର୍ଦ୍ଧା‌ରୋଡ – ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଓଡ଼ିଶା ସରକାର ୪୯୫ ଏକର ଜମି ଅଧିଗ୍ରହଣ ସହ ୧୬୭୪ ଏକର ଜଙ୍ଗଲ ଜମି ହସ୍ତାନ୍ତର କରିବାକୁ ପଡ଼ିବ। ଏହି ପ୍ରକଳ୍ପ ପାଇଁ ୬୧୬୨ ଏକର ଜମି ଅଧିଗ୍ରହଣ ସହ ୧୮୪୪ ଏକର ଜଙ୍ଗଲ ଜମିର ରୂପାନ୍ତରୀକରଣ (ଡାଇଭରଜନ୍‌)ର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ୫୬୬୭ ଏକର ଜମି ଅଧିଗ୍ରହଣ ସହ ୧୭୦ ଏକର ଜଙ୍ଗଲ ଜମିର ଡାଇଭରଜନ୍‌ ସଂପୂର୍ଣ୍ଣ ହୋଇଛି। ବୁଧବାର ଦିନ ଲୋକସଭାରେ ‌ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ‌ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

୨୮୯ କିମି ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୩୭୯୨ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି। ମାର୍ଚ ୨୦୨୧ ସୁଦ୍ଧା ପ୍ରକଳ୍ପ ବାବଦରେ ୧୪୯୭ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ୧୦୦୦.୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ରୋଡ – ନୂଆଗାଁ (୯୦ କିମି) ଓ ବଲାଙ୍ଗୀର-ବିଛୁପାଲି (୧୫ କିମି) କାର୍ଯ୍ୟ ଶେ‌ଷ ହୋଇଛି। ନୂଆଗାଁ- ବୁଗୁଡ଼ା ବିଛୁପାଲି- ପୁରୁଣା କଟକ ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି। ଜମି ଅଧିଗ୍ରହଣ, ଜଙ୍ଗଲ ମଂଜୁରୀ, ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ଭଳି ଅନେକ କାରଣ ରେଳ ପ୍ରକଳ୍ପ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଯାହା ଦ୍ବାରା ପ୍ରକଳ୍ପ ଶେଷ କରିବା ପାଇଁ ନିଶ୍ଚିତ ଅବଧି ଧାର୍ଯ୍ୟ କରାଯାଇ ପାରିନଥାଏ। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେ‌‌ଷ କରିବା ପାଇଁ ପ୍ରୟାସ ଜାରିରହିଛି। ୨୦୧୪ ଠାରୁ ରେଳ ବଜେଟରେ କ୍ରମାଗତ ଆବଣ୍ଟନ ବୃଦ୍ଧି କରାଯାଉଥିବା ସେ ଉତ୍ତରରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର