ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ସ୍ୱତନ୍ତ୍ର ଜେଟ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଓ ପରେ ହେଲିକପ୍ଟର ଯୋଗେ ଦିଲ୍ଲୀରୁ ହରିୟାଣା ଶୀର୍ଷା ଗସ୍ତ କରିଥିଲେ । ଏହାକୁ ନେଇ ରାଜଭବନରୁ ମୋଟା ଅଙ୍କର ବିଲ୍ ଆସିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ରିପୋର୍ଟ ତଲବ କରାଯାଇଛି । ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି ହୋଇଥିବା ଚିଠି ଅନୁଯାୟୀ ଗତ ଜୁନ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ରାଜ୍ୟପାଳ ଦିଲ୍ଲୀ ଯାଇଥିଲେ । ଯେଉଁଥି ପାଇଁ ରାଜଭବନ ପକ୍ଷରୁ ୪୧ ଲକ୍ଷ ୧୮ ହଜାର ଟଙ୍କା ବିଲ୍ ଦିଆଯାଇଛି । କେବଳ ସେତିକି ନୁହେଁ ଦିଲ୍ଲୀରୁ ହେଲିକପ୍ଟର ଯୋଗେ ରାଜ୍ୟପାଳ ହରିୟାଣା ଶୀର୍ଷାକୁ ଯାଇଥିଲେ । ଏହା ବାବଦରେ ହେଲିକପ୍ଟର ଭଡା ବାବଦକୁ ୫ ଲକ୍ଷ ଟଙ୍କା ବିଲ ହୋଇଛି ବୋଲି ଚିଠିରେ ଊଲ୍ଲେଖ ରହିଛି । ଯହାକୁ ନେଇ ରାଜ୍ୟପାଳଙ୍କ ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ପରୋକ୍ଷରେ କୈଫିୟତ ତଲବ କରାଯାଇଛି ।
ତେବେ ରାଜ୍ୟପାଳ କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ଏହି ସ୍ଥାନକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ରିପୋର୍ଟ ଲୋଡିଛନ୍ତି ରାଜ୍ୟ ସରକାର । ଏ ନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ ରାଜ୍ୟପାଳଙ୍କ ସଚିବଙ୍କୁ କୁହାଯାଇଛି । ତେବେ ରାଜ୍ୟପାଳଙ୍କୁ ସରକାରଙ୍କ ତରଫରୁ ଏଭଳି କୈଫିୟତ ମାଗିବା ଏବଂ ରିପୋର୍ଟ ତଲବ କରିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।