ନୂଆଦିଲ୍ଲୀ : ଓଡ଼ିଶାରେ ୩.୦୩ ଲକ୍ଷ ଅତି କୁଶଳୀ କାରିଗର, ବୁଣାକାର ସହ ବିଭିନ୍ନ ବର୍ଗର ଶିଳ୍ପୀ ଅଛନ୍ତି। ସେମାନେ ଉଚ୍ଚ ଗୁଣବତ୍ତା କଳାକୃତି ଓ ହସ୍ତତନ୍ତ ଉତ୍ପାଦନ କରୁଛନ୍ତି। ଆଜି ଲୋକସଭାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ।
ସେ କହିଲେ, ବୁଣାକାର ଓ କାରିଗରମାନଙ୍କ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ଜାତୀୟ ହସ୍ତଶିଳ୍ପ ବିକାଶ ଯୋଜନା, ବିସ୍ତୃତ ହସ୍ତତନ୍ତ କ୍ଲଷ୍ଟର ବିକାଶ ଯୋଜନା, ଜାତୀୟ ହ୍ୟାଣ୍ଡଲୁମ୍ ବିକାଶ ଯୋଜନା ଓ କଞ୍ଚା ମାଲ ଯୋଗାଣ ଯୋଜନାର କ୍ରିୟାନ୍ବୟନ କରୁଛନ୍ତି। ଆଇଆଇଏଚ୍ଟି (ବରଗଡ଼)ରେ ଡିପ୍ଲୋମା ପାଠ୍ୟକ୍ରମ ଜରିଆରେ ଯୋଗ୍ୟ ବୈଷୟିକ ମାନବ ସମ୍ବଳ ସୃଷ୍ଟି କରାଯାଉଛି। ଏଥିସହିତ ଉନ୍ନୟନ ଆୟୁକ୍ତ (ହସ୍ତତନ୍ତ ଓ ହସ୍ତଶିଳ୍ପ) କାର୍ଯ୍ୟାଳୟ ତୃଣମୂଳ ସ୍ତରର କାରିଗର ଓ ବୁଣାକାରମାନଙ୍କ ନିକଟରେ ପହଞ୍ଚିବା ପାଇଁ ନିଫ୍ଟ ଭୁବନେଶ୍ବର ସହିତ ମିଶି କାର୍ଯ୍ୟକରୁଥିବା ମନ୍ତ୍ରୀ ଉତ୍ତରରେ ସୂଚନା ଦେଇଛନ୍ତି।