ତାଲିକାରେ ଓଡ଼ିଶାର ପ୍ରାୟ ୨୦ ମାମଲା: ଗ୍ରୀଷ୍ମାବକାଶରେ ସୁପ୍ରିମକୋର୍ଟ ଶୁଣାଣି କରିବେ ୨୫୦୦ ମାମଲା

ନୂଆଦିଲ୍ଲୀ: ଗ୍ରୀଷ୍ମାବକାଶରେ ସୁପ୍ରିମକୋର୍ଟ ୨୫୦୦ ମାମଲାର ଫଇସଲା କରିବେ। ପ୍ରଥମ ଥର ପାଇଁ ଏଭଳି ଏକ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ‌ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କୁହାଯାଉଛି। ଶୁଣାଣି ହେବାକୁ ଥିବା ମାମଲାଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ସବୁ ମାମଲା ସୁପ୍ରିମକୋର୍ଟରେ ୨୦୧୦ ରୁ ୨୦୨୨ ମଧ୍ୟରେ ବିଚାରାଧୀନ ରହିଛି। ମେ ୨୧ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତଙ୍କ ଗ୍ରୀଷ୍ମାବକାଶ ମଧ୍ୟରେ ଏହାର ବିଚାର ସହ ଫଇସଲା ହେବ।
ଓଡ଼ିଶାର ପ୍ରାୟ ୨୦ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ତେବେ ଏଥିରେ ପୋଲାଭରମ, ବଂଶଧାରା ଜଳ ବିବାଦ, ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଜନସ୍ବାର୍ଥ ମାମଲା, କନ୍ଧମାଳ ଦଙ୍ଗା କ୍ଷତିପୂରଣ ମାମଲା ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତି ଭଳି ଗୁରୁତ୍ବପୂଣ୍ଣ ମାମଲା ସ୍ଥାନ ପାଇନାହିଁ। ଗ୍ରୀଷ୍ମ ଅବକାଶରେ କେବଳ ଜରୁରୀ ମାମଲାର ଶୁଣାଣି ପାଇଁ ଗୋଟିଏ କିମ୍ବା ଦୁଇଟି ବେଞ୍ଚ ବସିଥାଏ। ତେବେ ଏହି ସବୁ ମାମଲାର ଶୁଣାଣି ଓ ଫଇସଲା ପାଇଁ ଅତିରିକ୍ତ ୫ ଟି ବେଞ୍ଚ ବସିବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣାଙ୍କ ଦ୍ବାରା ଅତିରିକ୍ତ ବେଞ୍ଚ ଗଠନ କରାଯିବ। ଗ୍ରୀଷ୍ମ ଅବକାଶ ଅବଧି ମଧ୍ୟରେ ବିଭିନ୍ନ ତାରିଖରେ ଏହା ବସିବ। ଗ୍ରୀଷ୍ମ ଅବକାଶରେ ତାଲିକାଭୁକ୍ତ ମାମଲାର ଶୁଣାଣି ବେଳେ ସଂପୃକ୍ତ ଓକିଲମାନଙ୍କ ପକ୍ଷରୁ ମାମଲାଗୁଡ଼ିକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଯଦି କୌଣସି ଓକିଲ ମାମଲାର ଶୁଣାଣିକୁ ସ୍ଥଗିତ କରିବା ପାଇଁ ଚାହାନ୍ତି ତାଙ୍କୁ ମେ ୨୦ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। ଏହା ପ‌ରେ ଆଉ ଆବେଦନ ଗ୍ରହଣ କରାଯିବ ନାହିଁ। ତାଲିକାଭୁକ୍ତ ମାମଲା‌ରେ ଯଦି ଓକିଲ ହାଜର ନ ହୁଅନ୍ତି ତାହାହେଲେ କୋର୍ଟ ସ୍ବତଃ ମାମଲାଗୁଡ଼ିକର ଅନ୍ତ ଘଟାଇବେ।
ଅନ୍ୟ ପକ୍ଷରେ ଗ୍ରୀଷ୍ମ ଅବକାଶରେ ହସ୍ତକ୍ଷେପ ଆଦେଶ ସମ୍ବନ୍ଧିତ, ଆଜୀବନ କାରାବାସ ତଥା ବର୍ଷକରୁ ଅଧିକ ସମୟଧରି ବିଚାରାଧିନ କଏଦୀ ମାମଲା, ବଦଳି, ପଦୋନ୍ନତି, ବରଖାସ୍ତ, ରିମାଣ୍ଡ ଆଦେଶ ସମ୍ବନ୍ଧିତ ମାମଲା, ଟିକସ ମାମଲା, ପରିବହନ ଓ ପରମିଟ୍‌ ରଦ୍ଦ ଭଳି ମାମଲାର ଶୁଣାଣି ଗୋଟିଏ କିମ୍ବା ଦୁଇଟି ଭ୍ୟାକେସନ୍‌ ବେଞ୍ଚରେ ହେବ। କେଉଁ ସବୁ ମାମଲାଗୁଡ଼ିକ ଜରୁରୀ ବୋଲି ବିବେଚନା କରାଯିବ ଏବଂ କେଉଁ ସବୁ ମାମଲାକୁ ଜରୁରୀ ବୋଲି ବିବେଚନ କରାଯିବ ନାହିଁ କୋର୍ଟଙ୍କ ଦ୍ବାରା ତାହାର ମଧ୍ୟ ସୂଚନା ଦିଆଯାଇଛି। ମାମଲା ଦାଖଲ କରିବା ପାଇଁ ଓକିଲଙ୍କୁ ପ୍ରଥମେ ଏକ ଶପଥପତ୍ର ‌ଦେବାକୁ ପଡ଼ିବ। ସେଥିରେ ଦର୍ଶାଇବାକୁ ପଡ଼ିବ ଯେ ମାମଲା କାହିଁକି ଶୁଣାଣି ପାଇଁ ଜରୁରୀ। ବିନା ଶପଥ ପତ୍ରରେ ରେଜିଷ୍ଟ୍ରି ମାମଲାକୁ ଗ୍ରହଣ କରିବେ ନ‌ାହିଁ ‌ବୋଲି ସୂଚନା ମିଳିଛି। ସୂଚନା ମୁତାବକ ମେ ୨, ୨୦୨୨ ସୁଦ୍ଧା ସୁପ୍ରିମକୋର୍ଟରେ ୭୦ ହଜାର ୫୭୨ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର