ନୂଆଦିଲ୍ଲୀ : ଦିଲ୍ଲୀର ପ୍ରିତିଷ୍ଠିତ ସଂଗଠନ ଓଡ଼ିଶା ଫୋରମ୍‌ ପକ୍ଷରୁ ସ୍ଥାନୀୟ ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ପ୍ରବାସୀ ଓଡ଼ିଆ କନକ୍ଲେଭ-୨୦୨୨ ଅବସରରେ ଓଡ଼ିଶା ସଂପର୍କିତ ଏକାଧିକ ପ୍ରସଙ୍ଗ ଉପରେ ଦିନ ତମାମ ଆଲୋଚନା ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଦେବୀପ୍ରସାଦ ବାଗ୍‌ଚୀଙ୍କ ସଂଯୋଜନାରେ ‘ରିସର‌ଜେଣ୍ଟ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରରେ ଡ. ଜେ.ଏନ୍‌ ମିଶ୍ର, ଅଜୟ ମହାନ୍ତି, ଡ. ଚିଦାତ୍ମିକା ଖଟୁଆ, ଅୟସକାନ୍ତ ମହାନ୍ତି ପ୍ରମୁ୍‌ଖ ଯୋଗଦେଇ ମତ ରଖିଥିଲେ। ଓଡ଼ିଶା‌ରେ ନିବେଶ କରିବା ପାଇଁ ଆଲୋଚକମାନେ ନିବେଶକମାନଙ୍କୁ ଆହ୍ବାନ କରିଥିଲେ।

Advertisment

ଓଡ଼ିଶାରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଅତିଥିମାନେ କହିଥିଲେ। ଓଡ଼ିଶାର କଳା, ସଂସ୍କୃତିର କିଭଳି ବିକାଶ କରାଯାଇପାରିବ, ସେନେଇ ଅତିଥିମାନଙ୍କ ପକ୍ଷରୁ ଅନେକ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଦୀପକ ସୁଦନଙ୍କ ଦ୍ବାରା ‘ଆଇଡିଆଜ୍‌ ଟୁ ଇନଭେଷ୍ଟ’ ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଥିଲା। ‘କନଜରଭେସନ୍ସ ଫର୍‌ ଟ୍ରାନ୍ସଫର୍ମେସନ୍ସ’ ଶୀର୍ଷକ ଆଲୋଚନାରେ ସନ୍ତୃପ୍ତ ମିଶ୍ର, ବିଜୟ ସାହୁ, ରାହୁଲ ଶର୍ମା, କଳ୍ପନା ଦାଶ ପ୍ରମୁଖ ଭାଗ ନେଇଥିଲେ। ପ୍ରସନ୍ନ ଦାସଙ୍କ ସଂଯୋଜନାରେ ‘ଓଡ଼ିଶା ଆଜ୍‌ ଏ ସଫ୍ଟ ପାୱାର୍‌: ପ୍ରିଜରଭିଙ୍ଗ ହେରିଟେଜ୍‌, ଆର୍ଟ ଆଣ୍ଡ କଲଚର୍‌’ ଶୀର୍ଷକ ଆଲୋଚନାରେ ସାହିତ୍ୟିକ ଦାଶ ବେନହୁର, ଅଦ୍ବୈତ ପ୍ରସାଦ ଗଡ଼ନାୟକ ପ୍ରମୁଖ ମତ ରଖିଥିଲେ।

ଏହାବ୍ୟତୀତ କନ୍‌କ୍ଲେଭ୍‌ରେ ରଘୁରାଜପୁର-ଆର୍ଟ ଭିଲେଜ୍‌ ଉପରେ ଚାରୁଦତ୍ତ ପାଣିଗ୍ରାହୀଙ୍କ ଦ୍ବାରା ସ୍ବତନ୍ତ୍ର ଉପସ୍ଥାପନା କରାଯାଇଥିଲା। ‘ଓଡ଼ିଶାସ୍‌ ବଣ୍ଡ ୱିଥ୍‌ ବାଲି’ ଶୀର୍ଷକ ଆଲୋଚନାରେ ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦୟନ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୃତ୍ୟ ନୈବେଦ୍ୟ ଦ୍ବାରା ସିପାହୀ ବିଦ୍ରୋହ ନାଟକ ପରିବେଷଣ କରାଯାଇଥିଲା।