ଓଡ଼ିଶାକୁ ୧୫୧୯.୩୧ କୋଟିର କୋଇଲା ରୟାଲ୍‌ଟି

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୦-୨୧ରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲ୍‌ଟି ମିଳିଛି । ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲ୍‌ଟି ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲ୍‌ଟି ମିଳିଛି ।

କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ଦିନ ଲୋକସଭାରେ ଏହି ସୂଚନା ଦେଇଛନ୍ତି । କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲ୍‌ଟି ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି । ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍ ଉପରେ ରୟାଲ୍‌ଟି ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧ୍ୟୟନ ଗୋଷ୍ଠୀ ବିଭିନ୍ନ ଅଂଶୀଦାର ରାଜ୍ୟମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। କୋଇଲା ଉତ୍ପାଦନକାରୀ ରାଜ୍ୟମାନେ କୋଇଲା ରୟାଲ୍‌ଟି ଦରକୁ ବର୍ତ୍ତମାନର ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ଲାଗି ଦାବି କରୁଛନ୍ତି । ଅନ୍ୟପଟେ କୋଇଲା ଉପଯୋଗକାରୀ ରାଜ୍ୟମାନେ ରୟାଲ୍‌ଟି ଦରକୁ ୧୪%ରୁ କମାଇ ଅତିବେଶୀରେ ୫-୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ଦାବି କରି ଆସୁଛନ୍ତି । ଅଧ୍ୟୟନ ଗୋଷ୍ଠୀ ସବୁ ଦିଗରୁ ବିଚାର କରିବା ପରେ ରିପୋର୍ଟ ଦାଖଲ କରିଛି। ଏଥିରେ ରୟାଲ୍‌ଟି ଦରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ସୁପାରିସ କରାଯାଇଛି।

ସମ୍ବନ୍ଧିତ ଖବର