ନୂଆଦିଲ୍ଲୀ : ଆଦର୍ଶ ପୋଲିସ ଆଇନ (ମଡେଲ୍‌ ପୋଲିସ୍‌ ଆକ୍ଟ -୨୦୦୬) କୁ ଦେଶର ୧୭ଟି ରାଜ୍ୟ ଆପଣାଇଛନ୍ତି କିମ୍ବା ପ୍ରଚଳିତ ଆଇନରେ ସଂଶୋଧନ ଆଣିଛନ୍ତି। ତେବେ ଏହି ଆଇନକୁ ଆପଣାଇଥିବା ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ନାହିଁ। ‌ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ କମିଟି ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ପୋଲିସ ସଂସ୍କାର ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟମାନଙ୍କ ଶିଥିଳତାକୁ ନେଇ କମିଟି ଉଦ୍‌ବେଗ ପ୍ରକାଶ କରିଛି। ଆଇନକୁ ଆପଣାଇନଥିବା ରାଜ୍ୟମାନଙ୍କ ଉପରେ କମିଟି ଅସନ୍ତୋଷ ବ୍ୟକ୍ତ କରିଛି। ଏହି ସବୁ ରାଜ୍ୟମାନଙ୍କ ଦୃଷ୍ଟିକୋଣ ଜାଣିବା ସହିତ ମତାମତ ନେବା ପାଇଁ କମିଟି ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପରାମର୍ଶ ଦେଇଛି। ସମସ୍ତ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେଲେ ସମାନ ପୋଲିସ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି କମିଟି ଆଶାପ୍ରକାଶ କରିଛି।