ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

ଏନ୍‌ସିଆର୍‌ବି ରିପୋର୍ଟ-୨୦୨୦

୨୦୨୦ରେ ୫ ହଜାର ୫୪୬ ଜଣଙ୍କ ଆତ୍ମହତ୍ୟା, ୨୧% ବୃଦ୍ଧି
ଛାତ୍ରଛାତ୍ରୀ ଆତ୍ମହତ୍ୟା ୩ ଗୁଣ ବୃଦ୍ଧି, ସାରା ଦେଶରେ ଦ୍ବିତୀୟ
କମିଲା ସଡ଼କ ମୃତ୍ୟୁ

ନୂଆଦିଲ୍ଲୀ : ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାରେ ଆତ୍ମହତ୍ୟା ୨୧% ବୃଦ୍ଧିପାଇଛି। ୨୦୨୦ରେ ରାଜ୍ୟରେ ସମୁଦାୟ ୫୫୪୬ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୪୫୮୨। ୨୦୨୦ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩୯୦୯ ଥିବାବେଳେ ମହିଳାଙ୍କ ସଂଖ୍ୟା ଥିଲା ୧୬୩୭। ଗତକାଲି ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ରିପୋର୍ଟ-୨୦୨୦ରେ ଏହା ଉଲ୍ଲେଖ କରାଯାଇଛି।

Representation image

ରିପୋର୍ଟରେ ଦର୍ଶଯାଇଛି ଯେ ଓଡ଼ିଶାରେ ପାରିବାରିକ ସମସ୍ୟା କାରଣରୁ ୪୫୦୬ ଜଣ ଆତ୍ମହତ୍ୟା କରିଛନ୍ତି। ଏହା ମୋଟ ଆତ୍ମହତ୍ୟାର ୮୧.୨ ପ୍ରତିଶତ ହୋଇଥିବା ବେଳେ ସାରାଦେଶରେ ଏହା ସର୍ବାଧିକ ହାର। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କରିଥିବା ୪୫୦୬ ଜଣଙ୍କ ମଧ୍ୟରେ ୩୩୧୧ ପୁରୁଷ ଓ ୧୧୯୫ ମହିଳା ଅଛନ୍ତି। ଓଡ଼ିଶାରେ ବେକାରୀ କାରଣରୁ ୧୩୯୮ ଯୁବକ ଆତ୍ମହତ୍ୟା କରିଥିବା ବେଳେ ୫୫୪ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୧୧୧ ଜଣ ପ୍ରେମଜନିତ କାରଣରୁ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି। ଏହା ସହ ଗତବର୍ଷ ଓଡ଼ିଶାରେ ୧୪୬୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ୧୦୪୨ ଛାତ୍ର ଓ ୪୨୭ ଛାତ୍ରୀ ଅଛନ୍ତି। ୨୦୧୯ ତୁଳନାରେ ଏହା ତିନି ଗୁଣ। ୨୦୧୯ରେ ଏହି ସଂଖ୍ୟା ଥିଲା ୩୭୯। ଛାତ୍ରଛାତ୍ରୀ ଆତ୍ମହତ୍ୟା ମାମଲ‌ାରେ ମହାରାଷ୍ଟ୍ର ପରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ୨୦୨୦ରେ ଓଡ଼ିଶାରେ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି। ତେବେ କୃଷି କାର୍ଯ୍ୟରେ ‌ନିୟୋଜିତ ୭ ଜଣ କ୍ଷେତ ମଜଦୁର୍‌ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି।

marathi.netive.in

ଦେଶରେ ୨୦୨୦ରେ ୧୦,୬୭୭ ଚାଷୀ, ଭାଗଚାଷୀ ଓ ‌କ୍ଷେତ ମଜଦୁର ଆତ୍ମହତ୍ୟା କରିଛନ୍ତି। ୨୦୧୯ ତୁଳନାରେ ଆତ୍ମହତ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି। ଓଡ଼ିଶାରେ ୨୦୨୦ରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥିଲା ୧୮,୮୮୮। ୨୦୧୯ ତୁଳନାରେ ଏହା ୧୪.୮% ଅଧିକ। ପ୍ରାକୃତିକ ବିପର୍ଯ୍ୟୟରେ ୧୪୨୮ ଓ ଅନ୍ୟାନ୍ୟ କାରଣ ପାଇଁ ୧୭ ହଜାର ୪୬୦ ଜଣଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ୨୦୨୦ରେ ଓଡ଼ିଶାରେ ପାଣିରେ ବୁଡ଼ି ୧୫୮୮, ଅଗ୍ନିକାଣ୍ଡ ଯୋଗୁ ୪୯୦ , ବିଦ୍ୟୁତ୍‌ ଆଘାତରେ ୧୪୧, ଡଙ୍ଗା ବୁଡ଼ିରେ ୫୮, ଯାନବାହାନରୁ ଖସିପଡ଼ି ୧୧୬୭, ବଜ୍ରପାତରେ ୨୭୫ ଓ ସାପ କାମୁଡ଼ା‌ରେ ୧୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ୨୦୨୦ରେ ଓଡ଼ିଶାରେ ଟ୍ରାଫିକ ଦୁର୍ଘଟଣା (ସହର ଭିତ୍ତିକ)ରେ ୫ ହଜାର ୨୦ ଜଣ ପ୍ରାଣ ହରାଇଥିବା ବେଳେ ସଡ଼କ ଦୁର୍ଘଟଣା (ସହର ବାହାର ବିଭିନ୍ନ ରାସ୍ତା)ରେ ୪ ହଜାର ୭୩୮ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର