ନୂଆଦିଲ୍ଲୀ : ଦେଶର ସର୍ବାଧିକ ଜରାଶ୍ରମ ଓଡ଼ିଶାରେ ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ୫୩୪ଟି ଜରାଶ୍ରମ ଥିବାବେଳେ କେବଳ ଓଡ଼ିଶାରେ ରହିଛି ୮୫।
ଓଡ଼ିଶା ପରେ ଆନ୍ଧ୍ରପ୍ରଦେଶରେ ୭୫, ତାମିଲନାଡ଼ୁରେ ୬୬, ଆସାମରେ ୪୦, କର୍ଣ୍ଣାଟକରେ ୩୯, ମହାରାଷ୍ଟ୍ରରେ ୩୭ ଓ ଉତ୍ତର ପ୍ରଦେଶରେ ୨୮ଟି ଜରାଶ୍ରମ ରହିଛି। ତଥ୍ୟ ଅନୁସାରେ ଓଡ଼ିଶାରେ ଥିବା ୮୫ଟି ଜରାଶ୍ରମରେ ୨୪୦୦ରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ରହୁଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶରେ ୨୦୦୦, ତାମିଲନାଡ଼ୁରେ ୧୭୯୫, ଆସାମରେ ୧୨୯୫ ଜଣ ବୃଦ୍ଧବୃଦ୍ଧା ଜରାଶ୍ରମରେ ରହୁଛନ୍ତି। ଏହି ସବୁ ଜରାଶ୍ରମ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଗୁଡ଼ିକର ସଂଚାଳନା ଏନଜିଓମାନଙ୍କ ଦ୍ବାରା କରାଯାଉଛି। କେନ୍ଦ୍ର ସରକାର ଓଡ଼ିଶାର ଜରାଶ୍ରମଗୁଡ଼ିକ ପାଇଁ ୨୦୧୮-୧୯ ରେ ୮.୪୮ କୋଟି ଟଙ୍କା, ୨୦୧୯-୨୦ ରେ ୨୧.୩୭ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧୭.୬୯ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି।