ବେଆଇନ ଖଣି ମାମଲା ଜରିମାନାର ପୁନଃ ମୂଲ୍ୟାଙ୍କନ ପାଇଁ ସିଇସି ବୈଠକ

ନୂଆଦିଲ୍ଲୀ : ଓଡ଼ିଶାର ବେଆଇନ ଖଣି ମାମଲାରେ ଲିଜ୍‌ଧାରୀଙ୍କ କ୍ଷତିପୂରଣ ସମ୍ପର୍କିତ ଜରିମାନା ପରିମାଣର ପୁନଃ ମୂଲ୍ୟାଙ୍କନ ପାଇଁ ଆଜିଠାରୁ ସୁପ୍ରିମକୋର୍ଟ ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି (ସିଇସି) ବୈଠକ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ସ୍ଥିତ ବାଣିଜ୍ୟ ଭବନଠାରେ ଅନୁଷ୍ଠିତ ବୈଠକରେ ସିଇସି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, କେନ୍ଦ୍ର ଖଣି ମନ୍ତ୍ରାଳୟ, ରାଜ୍ୟ ଇସ୍ପାତ ଓ ଖଣି ସଚିବ, ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ସମେତ ଖଣି ଲିଜ୍‌ଧାରୀ ଓ ସେମାନଙ୍କ ଓକିଲ ଯୋଗ ଦେଇଛନ୍ତି।

ସିଇସିର ଏହି ୨ ଦିନିଆ ବୈଠକରେ ପାଖାପାଖି ୮୫ ଜଣ ଲିଜ୍‌ଧାରୀ କ୍ଷତିପୂରଣ ସମ୍ପର୍କିତ ଜରିମାନା ପରିମାଣର ପୁନଃମୂଲ୍ୟାଙ୍କନ ପାଇଁ ନଥିପତ୍ର ଓ ଦସ୍ତାବିଜ୍‌ ଉପସ୍ଥାପନ କରିବେ। ଆଜି ପ୍ରଥମ ଦିନ ବୈଠକରେ ପାଖାପାଖି ୪୦ ଜଣ ଲିଜ୍‌ଧାରୀ ଜରିମାନାର ପୁନଃ ମୂଲ୍ୟାଙ୍କନ ସମ୍ପର୍କିତ ନଥିପତ୍ର ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ନଥିପତ୍ରଗୁଡ଼ିକର ଯାଞ୍ଚ କରାଯାଇ ସେଗୁଡ଼ିକରେ ଥିବା ବିସଙ୍ଗତିକୁ ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଇଛି। ଲିଜ୍‌ଧାରୀଙ୍କ ପକ୍ଷରୁ ନାମୀ ଓକିଲମାନଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ପକ୍ଷ ଦୃଢ଼ ଭାବେ ଉପସ୍ଥାପନ କରାଯାଇଥିଲା। ଆସନ୍ତାକାଲି ୪୦ରୁ ଊର୍ଦ୍ଧ୍ୱ ଲିଜ୍‌ଧାରୀ ସେମାନଙ୍କ ପକ୍ଷ ରଖିବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ବୈଠକ ସରିବା ପରେ ସିଇସିଙ୍କ ଦ୍ୱାରା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ। ଲୁହାପଥର, ମାଙ୍ଗାନିଜ ସହିତ ସମସ୍ତ ବେଆଇନ ଖଣି ଉତ୍ତୋଳନ ଉପରୁ ଜରିମାନା ଆଦାୟର ପୁନଃ ଆକଳନ ପାଇଁ ଲିଜ୍‌ଧାରୀଙ୍କ ଆବେଦନକୁ ତର୍ଜମା କରାଯିବ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଡିସେମ୍ବର ୫ ତାରିଖରେ ହେବ ଏବଂ ସେଦିନି ସିଇସି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ। ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ ସ୍ପଷ୍ଟ କରିବେ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨ ତାରିଖରେ ଓଡ଼ିଶାର ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ ପାଇଁ ଶତ ପ୍ରତିଶତ ଜରିମାନା ଧାର୍ଯ୍ୟ କରି ଏହାକୁ ଆଗାମୀ ଡିସେମ୍ବର ୩୧ ସୁଦ୍ଧା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜରିମାନା ଆକଳନର ପୁନଃ ମୂଲ୍ୟାଙ୍କନ ଏବେ ବିସଙ୍ଗତି ଦୂର ପାଇଁ ଖଣି ଲିଜ୍‌ଧାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏଥି ପାଇଁ ସିଇସିଙ୍କ ନିକଟରେ ଦ୍ୱାରସ୍ଥ ହେବାପାଇଁ ସୁପ୍ରିମକୋର୍ଟ କହିଥିଲେ। ନଭେମ୍ବର ୩୦ ତାରିଖ ସୁଦ୍ଧା ଲିଜ୍‌ଧାରୀଙ୍କ ସହ ଆଲୋଚନା କରି ଡିସେମ୍ବର ୫ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ସିଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର