ନୀତି ଆୟୋଗ ନବୋନ୍ମେଷ ସୂଚକାଙ୍କ : ଶୀର୍ଷରେ କର୍ଣ୍ଣାଟକ, ଦ୍ୱାଦଶ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ବା ଇନୋଭେସନ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି । ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି ।
ଅନ୍ୟପକ୍ଷରେ ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି । ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରେଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି ।
ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକନୋଲଜି ବିଭାଗ ସଚିବ ରେଣୁ ସ୍ୱରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଥିଲା ।

ସମ୍ବନ୍ଧିତ ଖବର