ଏନ୍‌ସିଆର୍‌ବି ରିପୋର୍ଟରେ ଓଡ଼ିଶା

ଆଶ୍ୱସ୍ତି: ଅପହରଣ, ଶିଶୁ ଅପରାଧ କମିଛି, ଅସ୍ୱସ୍ତି: ମହିଳା ବିରୋଧୀ ହିଂସା ବଢ଼ୁଛି

ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ସ୍ୱାମୀ ନିର୍ଯାତନା ବେଶି

ଭୁବନେଶ୍ବର/ନୂଆଦିଲ୍ଲୀ : ସାରା ଦେଶରେ ମହିଳା ବିରୋଧୀ ହିଂସା ୮.୩% ହ୍ରାସ ପାଇଥିଲା ବେଳେ ଓଡ଼ିଶାରେ ଏହା ୯.୯% ବଢ଼ିଯାଇଛି। ରାଜ୍ୟରେ ୨୦୧୯ ମସିହାରେ ୨୩,୧୮୩ ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିଲା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୨୫,୪୮୯ ହୋଇଛି। ସଦ୍ୟ ପ୍ରକାଶିତ ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟର ଏହି ତଥ୍ୟ ଓଡ଼ିଶା ପାଇଁ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଆଉ କିଛି ପରିସଂଖ୍ୟାନ ଆଶ୍ବସ୍ତି ବି ଆଣିଦେଇଛି। ଶିଶୁ ବିରୋଧୀ ହିଂସା, ଅପହରଣ ଆଦି କମିବାରେ ଲାଗିଛି। ରାଜ୍ୟରେ ଶିଶୁମାନଙ୍କର ବିରୋଧରେ ଅପରାଧର ସଂଖ୍ୟା ୨୦୧୯ରେ ୭,୦୧୨ ଥିଲା ବେଳେ ୨୦୨୦ରେ ଏହି ସଂଖ୍ୟା ୬,୩୩୦ କୁ ଖସି ଆସିଛି। ସେହିପରି ୨୦୧୯ରେ ଅପହରଣ ସଂଖ୍ୟା ୪,୭୪୮ ଥିଲା ବେଳେ ୨୦୨୦ରେ ଏହି ସଂଖ୍ୟା ୪,୧୭୯କୁ ଖସିଆସିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୯ ମସିହାରେ ଦେଶରେ ୪,୦୫,୩୨୬ଟି ମହିଳା ବିରୋଧୀ ହିଂସା ଜନିତ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା କମି ୩,୭୧,୫୦୩ରେ ପହଞ୍ଚିଥିଲା। କିନ୍ତୁ ଓଡ଼ିଶାରେ ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ହାର ଥିଲା ୧୧୨. ୯ । ୨୦୨୦ ମସିହାରେ ଓଡ଼ିଶାରେ ରୁଜୁ ହୋଇଥିବା ୨୫,୪୮୯ ମାମଲା ମଧ୍ୟରୁ ଦୁଷ୍କର୍ମ ଠାରୁ ଆରମ୍ଭ କରି ଅଶ୍ଳୀଳ ମନ୍ତବ୍ୟ ଓ ଯୌନ ନିର୍ଯାତନା ଯାଏ ୧୨,୬୦୫ଟି ବିଭିନ୍ନ ପ୍ରକାର ମାମଲା ରହିଛି। ଏହା ମୋଟ୍‌ ମହିଳା ବିରୋଧୀ ହିଂସାର ମାମଲାର ୫୫.୮ ପ୍ରତିଶତ ଅଟେ। ଆଉ ଏକ ସମ୍ବେଦନଶୀଳ ବିଷୟ ହେଲା ଯେ ୨୦୨୦ ମସିହାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାଙ୍କୁ ବିବସ୍ତ୍ର କରାଯିବା ନେଇ ୩୨୩୨ଟି ମାମଲା ରୁଜୁ ହୋଇଛି। ସେହିପରି ଦୁଷ୍କର୍ମ ଘଟଣା ମଧ୍ୟରେ ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ ରହିଛି। ୨୦୨୦ରେ ଦୁଷ୍କର୍ମକୁ ନେଇ ୬୧୫ଟି ମାମଲା ରୁଜୁ ହୋଇଛି। ଗୋଟିଏ ବର୍ଷରେ ମହିଳା ଅପହରଣକୁ ନେଇ ୩୭୭୫ଟି ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ସର୍ବାଧିକ ଅଟେ। କରୋନା ଓ ଲକ୍‌ଡାଉନ୍‌ରେ ସାଇବର ଅପରାଧ ବୃଦ୍ଧି ପାଇଛି। ଏହାର ଶିକାର ମଧ୍ୟ ମହିଳାମାନେ ସର୍ବାଧିକ ହୋଇଛନ୍ତି। ଏ ସଂକ୍ରାନ୍ତରେ ଓଡ଼ିଶାରେ ରୁଜୁ ହୋଇଥିବା ୫୨୬ଟି ମାମଲା ଦେଶରେ ସର୍ବାଧିକ ଅଟେ। ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହିଂସା ମାମଲାରେ ଚାର୍ଜସିଟ କରାଯାଇଥିବା ପରିମାଣ ୮୨ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।

ମହିଳାଙ୍କ ପାଇଁ ଅସୁରକ୍ଷିତ ରାଜ୍ୟ ଭାବେ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଦୁର୍ନାମ ରହିଥିଲା। କିନ୍ତୁ ୨୦୧୯ ତୁଳନାରେ ୨୦୨୦ରେ ଉଭୟ ରାଜ୍ୟରେ ମହିଳା ବିରୋଧୀ ହିଂସା କମିଛି। ଉତ୍ତରପ୍ରଦେଶରେ ସ୍ବାମୀ କିମ୍ବା ସମ୍ପର୍କୀୟମାନଙ୍କ ଦ୍ବାରା ମହିଳାମାନେ ସର୍ବାଧିକ ହିଂସାର ଶିକାର ହୋଇଥିବା ନେଇ ମାମଲା ରୁଜୁ ହୋଇଛି, ଯାହା କି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି। ଏହା ସମୁଦାୟ ମାମଲାର ୩୦% ଅଟେ।

ମୋଟ୍‌ ଉପରେ ଗତ ତିନି ବର୍ଷ ହେଲା ରାଜ୍ୟରେ ଅପରାଧ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। ୨୦୧୮ରେ ମୋଟ୍ ୧,୦୭,୪୦୮ଟି ଅପରାଧିକ ମାମଲା ହୋଇଥିଲା ବେଳେ ୨୦୧୯ରେ ୧,୨୧,୫୨୫ ଏବଂ ୨୦୨୦ରେ ଏହା ୧,୩୪,୨୩୦ରେ ପହଞ୍ଚିଛି। ଏହା ମଧ୍ୟରୁ ଦଣ୍ଡନୀୟ ଅପରାଧ ଭିତ୍ତିକ ମାମଲା ସଂଖ୍ୟା ୨୦୧୯ରେ ୯୬,୦୩୩ଟି ରହିଥିଲା ବେଳେ ୨୦୨୦ରେ ଏହି ସଂଖ୍ୟା ୧,୦୮,୫୩୩କୁ ବୃଦ୍ଧି ପାଇଛି। ରାଜ୍ୟରେ ହତ୍ୟା‌ ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବା ଆଉ ଏକ ଚିନ୍ତାର କାରଣ ପାଲଟିଛି। ୨୦୧୮ରେ ୧୩୭୮ ଓ ୨୦୧୯ରେ ୧୩୫୬ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ତାହା ବଢ଼ି ୧୪୭୦ରେ ପହଞ୍ଚିଛି। ସେହିପରି ବରିଷ୍ଠ ନାଗରିକଙ୍କ ବି‌ରୋଧରେ ଅପରାଧର ଗ୍ରାଫ ବଢ଼ିଛି। ୨୦୧୯ ରେ ବରିଷ୍ଠ ନ‌ାଗରିକ ମାନଙ୍କ ବିରୋଧରେ ଅପରାଧର ସଂଖ୍ୟା ୧୫୭ ଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୩୨୬ କୁ ପହଞ୍ଚିଛି।

ଶିଶୁମାନଙ୍କ ଦ୍ବାରା କରାଯାଉଥିବା ଅପରାଧ ମଧ୍ୟ ଓଡ଼ିଶାରେ ତୁଳନାତ୍ମକ ଭାବେ କମ୍ ରହିଛି। ୨୦୧୯ରେ ଏ ସଂକ୍ରାନ୍ତରେ ୧୧୬୨ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୦ରେ ଏହା ଖସି ୧୦୯୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର