ଭାରତ-ମିଆଁମାର ଦ୍ବିପାକ୍ଷିକ ସଂପର୍କରେ ଓଡ଼ିଶା ନିର୍ଣ୍ଣାୟକ

ମିଆଁମାରରେ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଆ

ନୂଆଦିଲ୍ଲୀ : ଭାରତ-ମିଆଁମାର ସାମାଜିକ-ସାଂସ୍କୃତିକ ସଂପର୍କରେ ଓଡ଼ିଶାର ଭୂମିକା ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଆସିଛି। ୧୯୯୩ ପରଠାରୁ ମିଆଁମାର ସହ ରାଜନୈତିକ ସଂପର୍କରେ ଉନ୍ନତି ପାଇଁ ଲଗାତାର ପ୍ରୟାସ ଚାଲିଛି। ଏବେ ମିଆଁମାରରେ ଗଣତାନ୍ତ୍ରିକ ସରକାରର ପତନ ସହ ସାମରିକ ଶାସନ ଆସିବା ପରେ ମଧ୍ୟ ଉଭୟ ଦେଶର ଦ୍ବିପାକ୍ଷିକ ସାଂସ୍କୃତିକ ସଂପର୍କକୁ କାଏମ ରଖିବା ପାଇଁ ମିଆଁମାରରେ ଥିବା ଓଡ଼ିଆମାନେ ନିର୍ଣ୍ଣାୟକ ଭୂମିକା ନେଇପାରିବେ ବୋଲି ଗବେଷକମାନେ କହିଛନ୍ତି। ଉତ୍ତର ପୂର୍ବ ଭାରତର ମିଜୋରାମ, ମଣିପୁର, ନାଗାଲ୍ୟାଣ୍ଡ୍‌ ଏବଂ ଅରୁଣାଚଳ ସୀମାକୁ ଲାଗି ମିଆଁମ୍ୟାର ସହ ୧୬୦୦ କିମି ସୀମା ସହିତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ମଧ୍ୟ ରହିଛି । ଭାରତ ମିଆଁମାର ସୀମାରେ ସୁରକ୍ଷା କାଏମ ରଖିବା ସହିତ ଚୀନ୍‌ର ଦାଦାଗିରିକୁ ରୋକିବା ପାଇଁ ଭାରତ ମିଆଁମାର ସଂପର୍କ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିବା ଜରୁରୀ ହୋଇପଡ଼ିଛି। ଭାରତ-ମିଆଁମାର ସେନା ସୀମା ଅଂଚଳରେ ଉଗ୍ରପନ୍ଥୀଙ୍କୁ ନିପାତ କରିବା ପାଇଁ ବିଭିନ୍ନ ସମୟରେ ମିଳିତ ଅପରେସନ କରିବା ନଜିର ରହିଛି। ଉଭୟ ଦେଶର ଦ୍ବିପାକ୍ଷିକ ସାମାଜିକ-ସାଂସ୍କୃତିକ ସଂପର୍କ (ଓଡ଼ିଶା ପରିପ୍ରେକ୍ଷୀରେ) ଉପରେ ଦୀର୍ଘ ବର୍ଷ ଧରି ଅଧ୍ୟୟନ କରିଥିବା ଇତିହାସ ଗବେଷକ ଡଃ ଅନନ୍ତରାମ କର କୌଣ୍ଡିନ୍ୟ କହିଛନ୍ତି ଯେ ଦୁଇ ଦେଶର ସଂପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏବେ ପ୍ରମୁଖ ଭୂମିକା ନେଇପାରିବେ। ମିଆଁମାରରେ ଓଡ଼ିଆ ସଂଗଠନମାନଙ୍କର ବିଶେଷ ପ୍ରଭାବ ରହିଛି ବୋଲି ଉଲ୍ଲେଖ କରି ଡଃ. କୌଣ୍ଡିନ୍ୟ କହିଛନ୍ତି, ଓଡ଼ିଆମାନେ ସେଠାରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାରରେ ଅନେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସରକାର ଏକ ଟିମ୍‌ ମିଆଁମାର ପଠାଇ ଓଡ଼ିଆ ସଂଗଠକମାନଙ୍କ ସହିତ ଆଲୋଚନା କଲେ ଦ୍ବିପାକ୍ଷିକ ସାଂସ୍କୃତିକ ସଂପର୍କରେ ଏକ ନୂଆ ଅଧ୍ୟାୟ ପାଇଁ ରାସ୍ତା ଫିଟିବ ବୋଲି ସେ କହିଛନ୍ତି।

ମିଆଁମାରରେ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଆ
ଓଡ଼ିଶା ଉପକୂଳ ଠାରୁ ସମୁଦ୍ର ପଥରେ ମିଆଁମାର୍‌ର ଦୂରତା ୧୭୮୦ କିମି। ଏହାର ଭାରତୀୟ ନାମ ହେଉଛି ବ୍ରହ୍ମଦେଶ। ବର୍ମା ଏବଂ ‘ରେଙ୍ଗୁନୁଦେଶ’ ଭାବେ ମଧ୍ୟ ଏହା ପରିଚିତ।

ସାଧବ ଯୁଗରୁ ଓଡ଼ିଆମାନେ ବ୍ରହ୍ମଦେଶ (ମିଆଁମାର୍‌)ରେ ବସତି ସ୍ଥାପନ କରି କୃଷି, ବଣିଜ, ଶ୍ରମ ଓ ସରକାରୀ କାର୍ଯ୍ୟ କରୁଥିଲେ।

୧୮୨୦-୧୯୪୧ ମସିହା ମଧ୍ୟରେ ଗଞ୍ଜାମର ଗୋପାଳପୁର ଏବଂ ବ୍ରହ୍ମଦେଶର ରେଙ୍ଗୁନ୍ ବନ୍ଦର ମଧ୍ୟରେ ଜାହାଜ ଚଳାଚଳ କରୁଥିଲା।

୧୯୩୦ ବେଳର ପରିସଂଖ୍ୟାନରେ ବ୍ରହ୍ମଦେଶରେ ସେତେବେଳେ ସେଠି ୪୩ ହଜାର ଓଡ଼ିଆ ଥିଲେ। ସେତେବେଳେ ଗୋପାଳପୁର ବନ୍ଦରରୁ ବ୍ରହ୍ମଦେଶକୁ- ଜଳଦୁର୍ଗା, ଚିଲିକା ନାମକ ଦୁଇଟି ଜଳଜାହାଜ, ପ୍ରତି ସପ୍ତାହରେ ଯାତାୟାତ କରୁଥିଲା।

ମିଆଁମାର୍‌ର ରେଙ୍ଗୁନ୍, ନାମଟୁ, ଇନସିନ୍, ଏଲନ୍, ମଙ୍ଗଳାଡୁନ୍, ମାଣ୍ଡଲେ, କାଇନ୍, ଟାଉଁଯାଉଁ, ସିରିଆମ୍ ପ୍ରଭୃତି ସହରରେ ଓଡ଼ିଆମାନେ ଶ୍ରୀ ଜଗନ୍ନାଥ, ରାଧାକୃଷ୍ଣ, ରଘୁନାଥ, ଠାକୁରାଣୀ,ଶିବ, ଆଦି ମନ୍ଦିର ପ୍ରତିଷ୍ଠା କରିଥିଲେ।
ବର୍ତ୍ତମାନ ସେଠାରେ ପାଞ୍ଚଟି ଜଗନ୍ନାଥ ମନ୍ଦିର ଅଛି, ଏବଂ ଓଡ଼ିଆ ବଂଶୋଦ୍ଭବମାନେ ରଥଯାତ୍ରା କରନ୍ତି।

୧୯୪୦ ବେଳକୁ ବ୍ରହ୍ମଦେଶରେ ବର୍ମା-ଓଡ଼ିଆ ରାସ ସମିତି,ରେଙ୍ଗୁନ୍ ଓଡ଼ିଆ ଯୁବକ ସଂଘ, ଓଡ଼ିଆ ରାମଲୀଳା ସମିତି, ଉତ୍କଳ ଶ୍ରମିକ ସଂଘ, ଉତ୍କଳମଣି ପାଠାଗାର ପ୍ରଭୃତି ଅନେକ ସଂଗଠନ ଥିଲା।

ସେଠାରେ ୫ ଗୋଟି ଓଡ଼ିଆ ଛାପାଖାନା ଥିଲା ଏବଂ ତାହା ମାଧ୍ୟମରେ ଦୈନିକ ସ୍ବାଧୀନ ଭାରତ, ସାପ୍ତାହିକ-ପ୍ରଭାତ, ବର୍ମା ଓଡ଼ିଆ, ମାସିକ ‘ଲୋକଶିକ୍ଷା’ ନାମକ ପତ୍ରିକା ପ୍ରକାଶ ପାଉଥିଲା।

ନେତାଜୀଙ୍କ ଆଜାଦ୍ ହିନ୍ଦ୍‌ ଫୌଜ୍‌ରେ ବର୍ମାରୁ ଅନେକ ଓଡ଼ିଆ ଭର୍ତ୍ତି ହୋଇଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ ବର୍ମା ବ୍ରିଟିଶ୍‌ ଅଧୀନରେ ରହିଥିଲା। ବ୍ରହ୍ମଦେଶର ସ୍ବାଧୀନତା ସଂଗ୍ରାମ ତଥା ବିଶ୍ବଯୁଦ୍ଧ ସମୟରେ ୧୯୪୧ ଡିସେମ୍ବର ୨ ତାରିଖରେ ରେଙ୍ଗୁନ ବନ୍ଦର ଉପରେ ଜାପାନ ବୋମା ମାଡ଼ କରିଥିଲା। ଏହାପରେ ଗୋପାଳପୁର-ରେଙ୍ଗୁନ୍ ମଧ୍ୟରେ ଜାହାଜ ଚଳାଚଳ ବନ୍ଦ ହୋଇଗଲା। ହଜାର ହଜାର ସଂଖ୍ୟାରେ ଓଡ଼ିଆ ଆସାମ, ବଙ୍ଗଳା ଦେଇ ପାଦରେ ଚାଲି ଚାଲି ୩ ମାସରେ ଫେରିଲେ।

ଯେଉଁ ଓଡ଼ିଆମାନେ ପରିବାର, ସମ୍ପତ୍ତି, ଜମିବାଡ଼ି କରି ବର୍ମାରେ ରହିଥିଲେ କିମ୍ବା ପାଦରେ ଚାଲି ଚାଲି ଆସିବାକୁ ଅସମର୍ଥ ଥିଲେ ସେମାନେ ସ୍ଥାୟୀ ଭାବେ ସେଠି ରହିଗଲେ।

ଏବେ ମିଆମାର୍‌ରେ ପ୍ରାୟ ୨୦ ହଜାର ଓଡ଼ିଆ ବଂଶୋଦ୍ଭବ ମହାନ୍ତି, ପାଇକ, ଆଚାରୀ, ଦଳବେହେରା, ପାତ୍ର, ପ୍ରଧାନ, ଦାସ, ଇତ୍ୟାଦି ସଂଜ୍ଞାର ବର୍ମୀଜ୍ ଅଛନ୍ତି ଏବଂ ସେମାନେ ରଥଯାତ୍ରା, ଦୋଳ ପୂର୍ଣ୍ଣିମା, ମାଣବସା, ଶିବରାତ୍ରୀ, ତ୍ରୀନାଥମେଳା, ଚୈତ୍ର ମଙ୍ଗଳବାର ପୂଜା ଆୟୋଜନ କରି ଆସୁଛନ୍ତି।

୧୯୯୬ ଜୁଲାଇ ମାସରେ ଓଡ଼ିଶାରେ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସମୟରେ ମିଆଁମାର୍‌ର ସିରିଆମ୍, ରେଙ୍ଗୁନ୍ ଆଦି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଅଙ୍ଗ ଫିଟା କରାଯାଇଥିଲା। ପୁରୀର ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପଣ୍ଡିତ ଶରତଚନ୍ଦ୍ର ଷଡ଼ଙ୍ଗୀ ମିଆମାର୍ ଯାଇଥିଲେ ଏବଂ ୧୭ ଜୁଲାଇ୧୯୯୬ରେ ଗୁଣ୍ଡିଚା ଯାତ୍ରା ସମାପନ କରିଥିଲେ।

ସମ୍ବନ୍ଧିତ ଖବର