ନୂଆଦିଲ୍ଲୀ : ୨୦୧୮ ରୁ ୨୦୨୨ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ବଜ୍ରକାପ୍ତା ଓଡ଼ିଶାରେ (୧୫୪) ଶିକାର ହୋଇଛନ୍ତି। ଇଣ୍ଡିଆ ଟ୍ରାଫିକ୍ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ବଜ୍ରକାପ୍ତାର ଅବାଧ ଶିକାରରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ କର୍ଣ୍ଣାଟକ ୧୫୦ ସହ ଦ୍ବିତୀୟ ଏବଂ ମହାରାଷ୍ଟ୍ର ୧୩୫ ସହ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟରେ କୁହାଯାଇଛି, ଓଡିଶା ସମେତ ଦେଶର ୨୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବଜ୍ରକାପ୍ତା ଶିକାର ଓ ବେଆଇନ କାରବାର ଚାଲିଛି।
ଗତ ୫ ବର୍ଷରେ ଦେଶରେ ସମୁଦାୟ ୩୪୨ ଧରପଗଡରେ ୧୨୦୩ ବଜ୍ରକାପ୍ତା ଅବାଧ ଶିକାରର ଘଟଣା ସମ୍ମାକୁ ଆସିଥିଲା। ଓଡିଶାରେ ସମୁଦାୟ ୭୪ଟି ଧରପଗଡରେ ୧୫୪ ବଜ୍ରକାପ୍ତା ଜବତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୫୦ଟି ଜୀବିତ ବଜ୍ରକାପ୍ତା ଜବତ ହୋଇଥିଲେ। ଓଡିଶାରେ ଜବତ ହୋଇଥିବା ଜୀବିତ ବଜ୍ରକାପ୍ତା ସଂଖ୍ୟା ମଧ୍ୟ ଦେଶରେ ପ୍ରଥମ। ସେହିଭଳି ଓଡିଶାରେ ଗତ ୫ ବର୍ଷରେ ବଜ୍ରକାପ୍ତା କାତି ଜବତର ୩୦ଟି ଘଟଣା ରହିଥିବାର ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ମଧ୍ୟ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ବଜ୍ରକାପ୍ତାର ଚୋରା ଚାଲାଣ ଏବଂ ବେଆଇନ କାରବାରକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି ଏବଂ ବେଆଇନ କାରବାର ଏହି ବିରଳ ପ୍ରଜାତିର ଅସ୍ତିତ୍ବ ଉପରେ ପ୍ରଭାବ ପକାଉଛି ବୋଲି ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତରେ ବଜ୍ରକାପ୍ତାର ଦୁଇଟି ପ୍ରଜାତି-ଭାରତୀୟ ପ୍ରଜାତି ବଜ୍ରକାପ୍ତା ଏବଂ ଚୀନ ପ୍ରଜାତିର ବଜ୍ରକାପ୍ତା ରହିଛି ।ଭାରତୀୟ ପ୍ରଜାତି ବଜ୍ରକାପ୍ତା ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ର ସିଡ୍ୟୁଲ ୧ ପ୍ରଜାତି ଶ୍ରେଣୀରେ ରହିଛି।ଏହାର ବେଆଇନ ଶିକାର ଏବଂ ଏହାର ଅଙ୍ଗପ୍ରତ୍ୟଙ୍ଗ ଗୁଡିକର ବ୍ୟବସାୟ ଉପରେ ପ୍ରତିବନ୍ଧକ ରହିଛି।