ଦିବ୍ୟାଙ୍ଗ ସଂଖ୍ୟାରେ ଓଡ଼ିଶା ପ୍ରଥମ

ନୂଆଦିଲ୍ଲୀ :ଓଡ଼ିଶାରେ ସର୍ବାଧିକ ୩ ପ୍ରତିଶତ ମହିଳା ଦିବ୍ୟାଙ୍ଗ ଅଛନ୍ତି। ଦିବ୍ୟାଙ୍ଗ ମହିଳାମାନଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ। କେରଳ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେବଳ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ନୁହେଁ ପୁରୁଷ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି।

ରିପୋର୍ଟ ଅନୁସା‌ରେ, ଓଡ଼ିଶାରେ ସର୍ବାଧିକ ୩.୫ ପ୍ରତିଶତ ପୁରୁଷ ଦିବ୍ୟାଙ୍ଗ ଅଛନ୍ତି। ଏକ୍ଷେତ୍ରରେ ମଧ୍ୟ କେରଳ ଓ ଆନ୍ଧ୍ର ପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ଓମେନ ଆଣ୍ଡ ମେନ୍‌ ଇନ୍‌ ଇଣ୍ଡିଆ ୨୦୨୦ ରିପୋର୍ଟର ସଶକ୍ତୀକରଣରେ ପ୍ରତିବନ୍ଧକ ବି‌ଷୟବସ୍ତୁରେ ଏହି ତଥ୍ୟ ଉଲ୍ଲେଖ ଅଛି। ନ୍ୟାସନାଲ ସ୍ୟାମ୍ପଲ ସର୍ଭେର ୭୨ ତମ ରାଉଣ୍ଡର ଫଳାଫଳ ଭିତିରେ ରିପୋର୍ଟରେ ଦେଶରେ ୨.୪ ପ୍ରତିଶତ ପୁରୁଷ ଓ ୧.୯ ପ୍ରତିଶତ ମହିଳା ଭିନ୍ନକ୍ଷମ ଶ୍ରେଣୀରେ ଥିବା ଦର୍ଶାଯାଇଛି। ରିପୋର୍ଟରେ ୨୦୧୮ରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କର ବିବାହର ବୟସ ୨୧.୭ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହାର ପ୍ରତିଶତ ୨୩.୪ ଥିବା କୁହାଯାଇଛି। ଓଡ଼ିଶାରେ ୧୫ ବର୍ଷରୁ ୫୯ ବୟସର ମହିଳାମାନେ ପରିବାରର ସଦସ୍ୟମାନଙ୍କ ପାଇଁ ବିନା ପାରିଶ୍ରମିକରେ ସର୍ବାଧିକ ୩୧୦ ମିନିଟ୍ କାର୍ଯ୍ୟ କରୁଥିବାର ଉଲ୍ଲେଖ ଅଛି। ଜାତୀୟସ୍ତରରେ ଏହାର ପ୍ରତିଶତ ୨୯୦ ମିନିଟ୍ ଥିବାବେଳେ ଓଡ଼ିଶାର ମହିଳାମାନେ ୩୧୦ ମିନିଟ୍ ବିନା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି।

ଅପରପକ୍ଷେ ଏହି କାର୍ଯ୍ୟପାଇଁ ପୁରୁଷମାନେ ୩୮ ମିନିଟ ସମୟ ଦେଉଛନ୍ତି। ରିପୋର୍ଟ ଅନୁସାରେ ଓଡ଼ିଶାର ମହିଳାମାନଙ୍କର ଗୋଟିଏ ଘଣ୍ଟାର ହାରାହାରି ସର୍ବନିମ୍ନ ପାରିଶ୍ରମିକ ହେଉଛି ୨୭ ଘଣ୍ଟା। ୧୫ ବର୍ଷରୁ ଅଧିକ ବୟସର ଗ୍ରାମୀଣ ଓଡ଼ିଶାର ୪.୨ ପ୍ରତିଶତ ତଥା ସହରାଞ୍ଚଳର ୨୧.୯ ପ୍ରତିଶତ ମହିଳା ବେରୋଜଗାର ଥିବାର ୨୦୧୮-୧୯ର ତଥ୍ୟକୁ ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ୨୦୧୮-୧୯ରେ ଗ୍ରାମୀଣ ଇଲାକାରେ ୨୪.୨ ପ୍ରତିଶତ ଓ ସହରାଞ୍ଚଳରେ ୧୫.୮ ପ୍ରତିଶତ ମହିଳା ମଜୁରିଆ ଥିବାର ରିପୋର୍ଟରେ ଦର୍ଶାଯାଇଛି। ଗ୍ରାମୀଣ ଓଡ଼ିଶାର ମହିଳାମାନଙ୍କର ଜୀବନ ଆୟୁ ୭୦.୩ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହାର ପ୍ରତିଶତ ୭୩.୦ ଥିବା କୁହାଯାଇଛି। ଅପରପକ୍ଷେ ପୁରୁଷମାନଙ୍କର ଗ୍ରାମୀଣ ଓ ସହରାଞ୍ଚଳରେ ଜୀବନ ଆୟୁ ଯଥାକ୍ରମେ ୬୭.୪ ଓ ୭୧.୦୦ ପ୍ରତିଶତ ରହିଥିବାର ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର