ନଇମ ଅଖତାର
ନୂଆଦିଲ୍ଲୀ: ଘଟଣା ବହୁଳ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଦିନକ ପୂର୍ବରୁ ଶେଷ ହୋଇଛି। ଅଧିବେଶନ କାଳରେ ଓଡ଼ିଶାର ବିଜେଡି, ବିଜେପି ଓ କଂଗ୍ରେସ ସାଂସଦ ରାଜ୍ୟ ସ୍ବାର୍ଥ ଏବଂ ନିଜ ସଂସଦୀୟ କ୍ଷେତ୍ରର ବହୁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଅଧିବେଶନ ଖର୍ଚ୍ଚଦାବି ଆଲୋଚନା କାଳରେ ବିଜେଡି ସାଂସଦମାନେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ, ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦରର କାର୍ଯ୍ୟାରମ୍ଭ, ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା, ଓଡ଼ିଶା ବିଧାନ ପରିଷଦ ଗଠନ, କରୋନା ଅନାଥ ଶିଶୁମାନଙ୍କୁ ସରକାରୀ ସହାୟତା ପ୍ରଦାନ, କଳାକାରମାନଙ୍କୁ ବାକିଆ ପେନସନ ପ୍ରଦାନ, ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ପାଇଁ ସଂଗ୍ରହାଳୟ ସ୍ଥାପନ, ଓଡ଼ିଶାର ଗ୍ରାମାଞ୍ଚଳରେ ଇଣ୍ଟରନେଟ ସୁବିଧା, ମୋବାଇଲ ଟାୱାର ସ୍ଥାପନ, ଜିଏସଟି କ୍ଷତିପୂରଣ ବାବଦରେ ବକେୟା ୧୬୨୩ କୋଟି ଟଙ୍କା ପ୍ରଦାନ, ୧୨ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଆବାସ ପ୍ରଦାନ, ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଇବା, ରାଜ୍ୟର ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ, ୱେବ ଚ୍ୟାନେଲଗୁଡିକ ଉପରେ ସେନସରସିପ ଲାଗୁ କରିବା, ସଂସଦ ପରିସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ସଫେଇ ଓ ପରିମଳ କର୍ମଚାରୀଙ୍କୁ ସହାୟତା ପ୍ରଦାନ ଆଦି ପ୍ରସଙ୍ଗ ଉତ୍ଥାପନ କରିଥିଲେ।
କଂଗ୍ରେସ ଓ ବିଜେପି ସାଂସଦମାନେ ଅନ୍ୟାନ୍ୟ ପ୍ରସଙ୍ଗ ସହ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଭିସୁଟକୁ ସିଏଫ୍ଟିଆଇରେ ପରିଣତ କରିବା, ସମ୍ବଲପୁରୀ ଭାଷାକୁ ସମ୍ବିଧାନରେ ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ବିଜେପିର ସାଂସଦମାନେ ଦାବି ଉପସ୍ଥାପନ କରିଥିଲେ। ନାଲକୋ ଘରୋଇକରଣକୁ କଂଗ୍ରେସ ସାଂସଦ ଜୋରଦାର ବିରୋଧ କରିଥିଲେ। ରାଜ୍ୟର ଆଦିବାସୀଙ୍କ ସମସ୍ୟା କଂଗ୍ରେସ ସଦନରେ ଉଠାଇଥିଲା। ଅଧିବେଶନ କାଳରେ ଗୃହରେ ଦାଖଲ କରାଯାଇଥିବା ବିଭାଗୀୟ କମିଟି ରିପୋର୍ଟଗୁଡିକରେ ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାର ବୈତରଣୀ ଜୀବିକା ଆକଳନ ମଡେଲର ପ୍ରୟୋଗ ପାଇଁ ଆୟୁଷ ମନ୍ତ୍ରାଳୟକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ କମିଟି ସୁପାରିଶ କରିଥିଲା। ସେହିଭଳି ପିଏମ୍ଏଫ୍ବିୱାଇ ଯୋଜନା ଅନ୍ତର୍ଗତ ରାଜ୍ୟର ହିତାଧିକାରୀଙ୍କ ଆକାଉଣ୍ଟର ଆଧାର ସିଡିଂ ଓ ଜମି ରେକର୍ଡର ସଂଯୋଗକୁ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ଷ୍ଟାଣ୍ଡିଂ କମିଟି ପ୍ରଶଂସା କରିଛନ୍ତି। ବୌଦ୍ଧ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ରତ୍ନଗିରି, ଉଦୟଗିରି ଓ ଲଳିତଗିରି ହୀରକ ତ୍ରିଭୁଜକୁ ସ୍ବଦେଶ ଯୋଜନାରେ ସାମିଲ କରିବା ପାଇଁ ପର୍ଯ୍ୟଟନ ,ପରିବହନ ଓ ସଂସ୍କୃତି ସଂସଦୀୟ କମିଟି ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ସୁପାରିସ କରାଯାଇଥିଲା।
ଅଧିବେଶନରେ ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ଲୋକସଭା ଶୂନ୍ୟକାଳରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ କଥା କଟାକଟି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ନିକଟରେ ଚାଲିଥିବା ନିର୍ମାଣକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବା ପାଇଁ ଦାବି କରିଥିବା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ର ଅପରାଜିତାଙ୍କ ଅଭିଯୋଗଗୁଡ଼ିକୁ ଅସତ୍ୟ ବୋଲି କହିଥିଲେ। ଦୁଇ ସାଂସଦଙ୍କ ତର୍କ ଲୋକସଭାରେ ସରଗରମ ପରିସ୍ଥିତି ସୃଷ୍ଟି କରିଥିଲା । କେତେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପାଖରୁ ଓଡ଼ିଶା ନିରାଶ ହୋଇଛି। ରାଜ୍ୟକୁ କ୍ଲିନ୍ ଏନର୍ଜି ସେସରୁ ୬୦ ପ୍ରତିଶତ ଅଂଶଦେବା ନେଇ ବିଜେଡି ଦାବି ଉପରେ କୌଣସି ପ୍ରକାର ସୁପାରିସ ବିଚାରାଧୀନ ନଥିବା କେନ୍ଦ୍ର ଖଣି ଓ କୋଇଲାମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଥିଲା। ଦେଶରୁ ଉଷୁନା ଚାଉଳ ବିଦେଶକୁ ରପ୍ତାନୀ ନେଇ ପ୍ରତିବନ୍ଧକ ଥିବା କହିଥିଲେ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲ। ଅଧିବେଶନ କାଳରେ ରାଜ୍ୟସଭାର ୭୨ ଜଣ ସାଂସଦଙ୍କର ବିଦାୟକାଳୀନ ଭାଷଣ ଅନ୍ୟତମ ପ୍ରମୁଖ ଘଟଣା ଥିଲା। ବିଜେଡିର ତିନି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ ୩୦ରେ ଶେଷ ହେବ। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ସାଂସଦମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସଦ ଭବନ ପରିଦର୍ଶନ, ବିଜେଡି ସାଂସଦମାନଙ୍କ ସହିତ ବୈଠକ ତଥା ସଂସଦର କେନ୍ଦ୍ରୀୟ ହଲରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିବା ମଧ୍ୟ ପ୍ରମୁଖ ଘଟଣା ଥିଲା। କିଛି ପ୍ରସଙ୍ଗରେ ବିଜେଡି ସାଂସଦ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମଧ୍ୟ ସମସ୍ତ ବିଲ୍କୁ ସମର୍ଥନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f654h65f4h65fhfhhffh.jpg)