ରାଜ୍ୟସଭାରେ ଓଡ଼ିଶା ପ୍ରସଂଗ : ଓଡ଼ିଶା ପ୍ରସଙ୍ଗରେ ଦାବି ଉଠାଇଲେ ୪ ସାଂସଦ

ନୂଆଦିଲ୍ଲୀ : କେବିକେ ଜିଲ୍ଲାମାନଙ୍କରେ ରେଳ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ବିଜେ଼ଡି ସାଂସଦ ସୁଜିତ କୁମାର। ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରେ ରେଳ ଅନୁଦାନ ଦାବି ସଂପର୍କିତ ଆଲୋଚନାରେ ଭାଗନେଇ କହିଥିଲେ ଯେ, କେବିକେର ୮ ଜିଲ୍ଲାରେ ରେଳ ସାନ୍ଦ୍ରତା କେବଳ ୬ ପ୍ରତିଶତ ରହିଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିଭଳି, ପ୍ରଥମଥର ପାଇଁ ରେଳ ଅନୁଦାନ ଦାବି ସଂପର୍କିତ ଆଲୋଚନାରେ ଭାଗନେଇ ରାଜ୍ୟସଭା ସାଂସଦ ମମତା ମହନ୍ତ ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳଲାଇନ୍‌କୁ ମଞ୍ଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଅପରପକ୍ଷେ ଲୋକସଭାରେ ସ୍ବାସ୍ଥ୍ୟ ଅନୁଦାନ ଦାବି ସଂପର୍କିତ ଆଲୋଚନାରେ ଭାଗନେଇ ବିଜେଡି ସାଂସଦ ଡା. ରାଜଶ୍ରୀ ମଲ୍ଲିକ କ୍ରମାଗତ ଭାବେ ସ୍ବାସ୍ଥ୍ୟକ୍ଷେତ୍ରରେ ବଜେଟ ଆବଣ୍ଟନକୁ ହ୍ରାସ କରାଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଅଧିକ ଅନୁଦାନ ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ସ୍ବାସ୍ଥ୍ୟ ଅନୁଦାନ ସଂପର୍କିତ ଆଲୋଚନାରେ ଭାଗନେଇ ଏକାଧିକ ଦାବି ଉପସ୍ଥାପନ କରିଥିଲେ।

୨ ସଂସଦୀୟ କମିଟିରେ ୩ ସାଂସଦ ନିର୍ବାଚିତ
ନୂଆଦିଲ୍ଲୀ : ଦୁଇଟି ସଂସଦୀୟ କମିଟିରେ ସଦସ୍ୟ ରୂପେ ଓଡ଼ିଶାର ୩ ଜଣ ଲୋକସଭାର ସାଂସଦମାନେ ନିର୍ବାଚିତ ହୋଇଛନ୍ତି। ୩୦ ଜଣିଆ କମିଟି ଅନ୍ ଏସ୍‌ଟିମେଟ୍‌ସ (୨୦୨୧-୨୨)ରେ ବିଜେଡିର ଲୋକସଭା ସାଂସଦ ପିନାକୀ ମିଶ୍ର ଓ ବିଜେପିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି। ସେହିଭଳି, ୧୫ ଜଣିଆ କମିଟି ଅନ୍ ପବ୍ଲିକ୍ ଆକାଣ୍ଟସ୍ (୨୦୨୧-୨୨)ରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର